
ଭୁବନେଶ୍ବର: ଗତବର୍ଷର ଆଇଏସ୍ଏଲ୍ ବିଜେତା ଚେନ୍ନାଇନ୍ ଏଫ୍ସି ଏବଂ ଚଳିତ ବର୍ଷର ଉପବିଜେତା ଏଫ୍ସି ଗୋଆ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣର ଫାଇନାଲ୍ରେ ଶନିବାର ମୁହାଁମୁହିଁ ହେବେ। ପ୍ରଥମ ଥର ଲାଗି ଉଭୟ ଦଳ ଏହି ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଥିବାରୁ ଆସନ୍ତାକାଲି ନୂଆ ବିଜେତାକୁ ଦେଖିବାକୁ ମିଳିବ। ଉଭୟ ଦଳ ଗୋଟିଏ ଲିଗ୍ରେ ଖେଳୁଥିବାରୁ ପୂର୍ବରୁ ୧୩ ଥର ମୁହାଁମୁହିଁ ହୋଇଥିଲେ। ସେଥିରେ ବିଜୟ ପରାଜୟ ବ୍ୟବଧାନ ସମାନ ୬-୬ ରହିଛି ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି। ୨୦୧୭-୧୮ ଆଇଏସ୍ଏଲ୍ରେ ଗୋଆ ଦୁଇ ଥର ଯାକ ଚେନ୍ନାଇନ୍କୁ ମାତ୍ ଦେଇଥିଲା। ହେଲେ ୨୦୧୫ ଆଇଏସ୍ଏଲ୍ ଫାଇନାଲ୍ରେ ଚେନ୍ନାଇନ୍ ୩-୨ ଗୋଲ୍ରେ ଗୋଆକୁ ପରାସ୍ତ କରି ଟ୍ରଫି କରାୟତ କରିଥିଲା। ଏହି ପ୍ରଦର୍ଶନ ଦେଖିଲେ ନିଶ୍ଚିତ କଳିଙ୍ଗ ଦର୍ଶକ ଶନିବାର ଏକ ଶ୍ରେଷ୍ଠ ଫାଇନାଲ୍ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ।
ଗତ ଥରର ବିଜେତା ଚେନ୍ନାଇନ୍ ୨୦୧୮-୧୯ ଆଇଏସ୍ଏଲ୍ରେ ଖରାପ ପ୍ରଦର୍ଶନ ଯୋଗୁଁ ପଏଣ୍ଟ୍ ତାଲିକାର ଶେଷ ସ୍ଥାନରେ ରହିଥିଲା। ସୁପର କପ୍ର ଯୋଗ୍ୟତା ପର୍ଯ୍ୟାୟରେ ଏହି ଦଳ ୱାକ୍ ଓଭର ପାଇ ମୁଖ୍ୟ ପର୍ଯ୍ୟାୟକୁ ଆସିଥିଲା। ଆଇଏସ୍ଏଲ୍ର ଖରାପ ପ୍ରଦର୍ଶନକୁ ଭୁଲି ଏଠାରେ ଶ୍ରେଷ୍ଠ ଦେଇଥିଲା ଜନ୍ ଗ୍ରେଗୋରିଙ୍କ ଦଳ। ଯୋଗ୍ୟତା ପର୍ଯ୍ୟାୟ ୱାକ୍ ଓଭର ପାଇବା ପରେ ଦଳ ୨-୦ରେ ମୁମ୍ବାଇ ସିଟିକୁ, ୨-୧ରେ ନର୍ଥଇଷ୍ଟ୍ ୟୁନାଇଟେଡ୍କୁ ଏବଂ ସେମିଫାଇନାଲ୍ରେ ଏଟିକେକୁ ୨-୦ରେ ଗୋଲ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଆମେ ପୂର୍ବ ତ୍ରୁଟି ସୁଧାରି ଶେଷରେ ଫାଇନାଲ୍ରେ ପହଞ୍ଚିଛୁ। ଏଥିପାଇଁ ଆମକୁ ବହୁ ପରିଶ୍ରମ କରିବାକୁ ପଡ଼ିଛି। ଏବେ କେବଳ ଗୋଟିଏ ଚିନ୍ତା କିଭଳି ବିଜେତା ହେବୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗ୍ରିଗୋରି। ଆମେ ଶନିବାର କ୍ରିସ୍ ହିର୍ଡଙ୍କ ବିନା ପଡ଼ିଆକୁ ଓହ୍ଲାଇବୁ। ସେ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଥିବାରୁ ଖେଳିବେନି। ହିର୍ଡ ଓ ଧନପାଲ ଏଟିକେ ବିପକ୍ଷରେ ଭଲ କରିଥିଲେ। ହିର୍ଡଙ୍କ ବିନା ଆମ ମଧ୍ୟଭାଗ ସାମାନ୍ୟ ଦୁର୍ବଳ ରହିବ। କିନ୍ତୁ ତାଙ୍କ ସ୍ଥାନରେ ଆମେ ଫେରାନ୍ କୋରୋମିନାସଙ୍କୁ ନେବୁ। ସେ ହିର୍ଡଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗ୍ରିଗୋରି।
୨୦୧୮-୧୯ ଆଇଏସ୍ଏଲ୍ର ଫାଇନାଲ୍ରେ ବେଙ୍ଗାଲୁରୁ ଏଫ୍ସିଠୁ ୦-୧ରେ ହାରି ଗୋଆ ଉପବିଜେତା ହୋଇଥିଲା। କିନ୍ତୁ ଲିଗ୍ ପର୍ଯ୍ୟାୟରେ ଏହି ଦଳ ବେଙ୍ଗାଲୁରୁ ଏଫ୍ସି ସହ ସମାନ ୩୪ ପଏଣ୍ଟ୍ ପାଇ ଦ୍ବିତୀୟରେ ରହି ସେମିଫାଇନାଲ୍ରେ ପହଞ୍ଚିଥିଲା। ସେମିଫାଇନାଲ୍ରେ ୫-୧ ଗୋଲ୍ରେ ମୁମ୍ବାଇ ସିଟିକୁ ମାତ୍ ଦେଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଚଳିତ ସୁପର କପ୍ରେ ଗୋଆ ସିଧାସଳଖ ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ଦଳ ୩-୦ରେ ଇଣ୍ଡିଆନ୍ ଆରୋଜକୁ, ୪-୩ରେ ଜାମସେଦପୁରକୁ, ୩-୦ରେ ଚେନ୍ନାଇ ସିଟିକୁ ହରାଇ ଟ୍ରଫି ଦୌଡ଼ରେ ସାମିଲ ହୋଇଥିଲା। ଫାଇନାଲ୍କୁ ପୂର୍ବ ମ୍ୟାଚ୍ ଭଳି ବିବେଚନା କରୁଛୁ। ଏଥିରେ ସମାନ ଢଙ୍ଗରେ ଖେଳିବୁ। ଏଥିପାଇଁ କିଛି ସ୍ବତନ୍ତ୍ରତା ନାହିଁ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୋଆର ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା। ଚେନ୍ନାଇନ୍ ଦଳ ଚଳିତ ବର୍ଷ ଆଇଏସ୍ଏଲ୍ରେ ଭଲ କରିନଥିଲା ସତ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଫଳରେ ଶନିବାର ଆମର ପୁରୁଣା ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇନ୍ ଦଳ ସହ ମୁହାଁମୁହିଁ ହେବ ବୋଲି ସେ କହିଛନ୍ତି। ସେମିରେ ଆଇଲିଗ୍ ବିଜେତା ଚେନ୍ନାଇନ୍ ସିଟିକୁ ହରାଇଛୁ। ଆମ ପାଇଁ ପ୍ରତ୍ୟେକ ମ୍ୟାଚ୍ ପ୍ରତିଦ୍ବନ୍ଦିତା ମୂଳକ। ଆମେ ଗତ ଆଇଏସ୍ଏଲ୍ ଫାଇନାଲ୍ରେ ହାରିଥିଲୁ। କିନ୍ତୁ ଭଲ ଖେଳିଥିଲୁ। ଫୁଟ୍ବଲ୍ରେ କିଛି ବି ସମ୍ଭବ ହୋଇଥାଏ। ଆସନ୍ତାକାଲି ଆମେ ନିଶ୍ଚିତ ଭଲ କରିବାକୁ ଚେଷ୍ଟା କରିବୁ ବୋଲି ଲୋବେରା ପ୍ରକାଶ କରିଥିଲେ।
ଆସିବେ ଅଭିଷେକ
ଶନିବାର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବେ ବଲିଉଡ୍ ତାରକା ଅଭିଷେକ ବଚ୍ଚନ। ସୁପର କପ୍ ଫାଇନାଲ୍ ମ୍ୟାଚ୍ ଲାଗି ତାଙ୍କର ଏହି ଆଗମନ। ସେ ଶନିବାର ପୂର୍ବାହ୍ଣ ୧୨.୪୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଫାଇନାଲ୍ ମ୍ୟାଚ୍ ବେଳେ ସେ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଭୁବନେଶ୍ବରରେ ରାତ୍ରିଯାପନ କରି ରବିବାର ସକାଳ ୮.୫୦ରେ ଫେରିଯିବେ। ଅଭିଷେକ ଚେନ୍ନାଇନ୍ ଏଫ୍ସିର ସହମାଲିକ ରହିଛନ୍ତି। ତାଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଭିତା ଦାନି ଏହି ଦଳର ସହମାଲିକ ମଧ୍ୟ ଅଛନ୍ତି।
from ଖେଳ – Sambad http://bit.ly/2Itq1Ws