ସତ୍ୟବିହାର ଡକାୟତି ଘଟଣାରେ ୪ ଗିରଫ

zisanmohammad
0

ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରୁ ଡକାୟତି ଘଟଣାରେ ଆଜି ମଞ୍ଚେଶ୍ୱର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗତରାତିରେ ଲୁଟ୍‌ ଉଦ୍ୟମ କରୁଥିବା ଜଣେ ଦୁର୍ବୃତ୍ତକୁ ପଚରାଉଚରା କରିବା ବେଳେ ଏହି ଡାକୟତି ଘଟଣାର ପର୍ଦାଫାସ ହୋଇଛି। ପୁଲିସ ଆଜି ଏହି ଘଟଣାରେ ଆଜି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳର ନିରଂଜନ ବେହେରା ଓରଫ କାଳିଆ(୨୬), ଶରତ କୁମାର ସାହୁ ଓରଫ କାର୍ତ୍ତିକ(୨୦), ମୁସଲିମ୍‌ ବସ୍ତିର ବାବୁ ଖାଁ(୨୭) ଓ କ୍ୟାପିଟାଲ ଥାନା ଫାଳିକିଆ ବସ୍ତିର ଟୁକୁନା ପଣ୍ଡା(୩୫)। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି। ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ ତା’ ନାମ ପ୍ରକାଶ କରିନାହିଁ। ତାକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ଖୁବ୍‌ଶୀଘ୍ର ତାକୁ ଧରାଯିବ ବୋଲି ମଞ୍ଚେଶ୍ୱର ପୁଲିସ କହିଛି। ଅପରପକ୍ଷେ ଏହି ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। ପୁଲିସ ସୂଚନା ମୁତାବକ, ୨୦୧୮ ମେ’ ୧୯ ତାରିଖ‌ରେ ଏମାନେ ସତ୍ୟବିହାର ଅଞ୍ଚଳର ଜ୍ଞାନରଂଜନ ମହାପାତ୍ରଙ୍କ ଘରୁ ଲୁଟ୍‌ପାଟ କରିଥିଲେ। ଘରେ କେହି ନଥିବା ସୁଯୋଗରେ ଅଭିଯୁକ୍ତମା‌ନେ ଘର ପଛପଟ କବାଟ ଭାଙ୍ଗି ସୁନା ଗହଣା ଲୁଟି ନେଇଥିଲେ। ପରଦିନ ସକାଳୁ ଏ ସଂପର୍କ‌ରେ ଜାଣିବାକୁ ପାଇବା ପରେ ଜ୍ଞାନରଂଜନ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ କାର୍ତ୍ତିକ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଏକ ଷ୍ଟୋର୍‌ରୁ ଲୁଟ୍‌ପାଟ ପାଇଁ ଯୋଜନା କରୁଥିବା ବେଳେ ପାଟ୍ରୋଲିଂରତ ମଞ୍ଚେଶ୍ବର ଥାନା ପୁଲିସ ତାକୁ କାବୁ କରିଥିଲା। ଥାନାକୁ ଆଣି ପଚରାଉଚରା କରିବାରୁ ସେ ତା’ ଅପରାଧ ପେଡ଼ି ଖୋଲିଥିଲା। ସତ୍ୟବିହାର ଅଞ୍ଚଳରୁ ଲୁଟ୍‌ ଘଟଣାରେ ସେ ସାମିଲ ଥିବା ପୁଲିସ ଆଗରେ ମାନି ଯାଇଥିଲା। ପୁଲିସ ତା’ଠାରୁ ଅନ୍ୟ ଅଭିଯୁକ୍ତମାନଙ୍କ ସଂପର୍କ‌ରେ ସୂଚନା ପାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ବେଳେ ସେମାନେ ସତ୍ୟନଗର ଜ୍ଞାନରଂଜନ ଓ ପୁରୁଣା ଭୁବନେଶ୍ବର କପିଳପ୍ରସାଦ ଅଞ୍ଚଳର ନରେନ୍ଦ୍ର ମହାରଣାଙ୍କ ଘରୁ ଲୁଟ୍‌ପାଟ କରିଥବା ମାନିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଗ୍ୟାଙ୍ଗର ମୁଖ୍ୟ ଏବେ ବି ଫେରାର୍‌ ରହିଛି। ତାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।



from ଅପରାଧ – Sambad http://bit.ly/2Ixjav1

Post a Comment

0Comments
Post a Comment (0)