
କୋଲ୍କାତା: ଚଳିତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ବିଜୟ ପାଇଛି। ଶୁକ୍ରବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଶିଖର ଧାୱନ (୯୭*, ୬୩ ବଲ୍, ୧୧ ଚୌକା, ୨ ଛକା) ଏବଂ ଋଷବ ପନ୍ତ (୪୬, ୩୧ ବଲ୍, ୪ ଚୌକା, ୨ ଛକା)ଙ୍କ ଶତକୀୟ ଭାଗୀଦାରି ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ୍ରେ ଘରୋଇ କୋଲ୍କାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ୧୭୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ଦଳ ତୃତୀୟ ଓଭରରେ ପୃଥ୍ବୀ ସ’ (୧୪ ରନ୍)ଙ୍କୁ ହରାଇଥିଲା। ସେ ପ୍ରସିଦ୍ଧ କୃଷ୍ଣଙ୍କ ବଲ୍ରେ ୱିକେଟ୍ରକ୍ଷକ ଦୀନେଶ କାର୍ତିକଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ଶ୍ରେୟଶ ଆୟର (୬ ରନ୍)ଙ୍କୁ ଦଳ ସଅଳ ହରାଇଥିଲା। ଆନ୍ଦ୍ରେ ରସେଲ ତାଙ୍କୁ ୱିକେଟ୍ ପଛପଟେ କାର୍ତିକଙ୍କ ହାତରେ କ୍ୟାଚ୍ କରାଇ ଦିଲ୍ଲୀକୁ ଦ୍ବିତୀୟ ଝଟ୍କା ଦେଇଥିଲେ। ୫.୪ ଓଭରରେ ୫୭ ରନ୍ରେ ୨ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଦିଲ୍ଲୀକୁ ଧାୱନ୍-ପନ୍ତ ଯୋଡ଼ି ଦୃଢ଼ ସ୍ଥିତି ଦେଇଥିଲେ। ଉଭୟ ତୃତୀୟ ୱିକେଟ୍ରେ ୧୦୫ ରନ୍ର ଭାଗୀଦାରି କରି ବିଜୟକୁ ସହଜ କରିଦେଇଥିଲେ। ଶେଷରେ କଲିନ୍ ଇନ୍ଗ୍ରାମ (୧୪*, ୬ ବଲ୍, ୧ ଚୌକା, ୧ ଛକା) ୧୮ତମ ଓଭରର ପଞ୍ଚମ ବଲ୍ରେ ଛକା ମାରି ମୁଣ୍ଡି ମାରିଥିଲେ। ଫଳରେ ଧାୱାନ୍ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ତେବେ ଧାୱନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ କୋଲ୍କାତା ନାଇଟ୍ ରାଇଡର୍ସ ଶୁଭମ ଗିଲ୍ଙ୍କ ଅର୍ଧଶତକ ସାଙ୍ଗକୁ ଆନ୍ଦ୍ରେ ରସେଲଙ୍କ ଧୁଆଁଧାର ୪୫ ରନ୍ ବଳରେ ୭ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା। ଏହି ମ୍ୟାଚ୍ର ପ୍ରଥମ ବଲ୍ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋଏ ଡେନ୍ଲି (୦)ଙ୍କୁ ଇଶାନ୍ତ ଶର୍ମା ବୋଲ୍ଡ କରି କୋଲ୍କାତାକୁ ପ୍ରଥମ ଝଟ୍କା ଦେଇଥିଲେ। ଏହାପରେ ଗିଲ୍ (୬୫, ୩୯ ବଲ୍, ୭ ଚୌକା, ୨ ଛକା) ଏବଂ ରବିନ ଉଥପ୍ପା (୨୮, ୩୦ ବଲ୍, ୪ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍ରେ ୬୨ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଶେଷ ଆଡ଼କୁ ରସେଲ (୪୫, ୨୧ ବଲ୍, ୩ ଚୌକା, ୪ ଛକା) ବଡ଼ ସଟ୍ ଖେଳି ଆସୁଥିଲା ବେଳେ ତାଙ୍କୁ କ୍ରିସ୍ ମୋରିସ୍ ଥାର୍ଡମ୍ୟାନ୍ ଅଞ୍ଚଳରେ କାଗିସୋ ରବାଦାଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ ପଠାଇ ଥିଲେ। ପୀୟୁଷ ଚାୱଲା ୬ ବଲ୍ରୁ ୨ ଚୌକା ସହ ୧୪ ରନ୍ ସଂଗ୍ରହ କରି କେକେଆର୍ର ସ୍କୋର୍କୁ ୧୭୮ରେ ପହଞ୍ଚାଇ ଦେଇଥିଲେ। ଦିଲ୍ଲୀ ପକ୍ଷରୁ ମୋରିସ, ରବାଦା ଓ କେମୋ ପଲ୍ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର୍: କୋଲ୍କାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୭୮/୭ (ଶୁଭମ ଗିଲ୍-୬୫, ଆନ୍ଦ୍ରେ ରସେଲ-୪୫, ରବିନ ଉଥପ୍ପା-୨୮, କ୍ରିସ ମୋରିସ-୨/୩୮, କାଗିସୋ ରବାଦା-୨/୪୨, କେମୋ ପଲ୍-୨/୪୬)। ଦିଲ୍ଲୀ କ୍ୟାପିଟାଲ୍ସ ୧୮.୫ ଓଭରରେ ୧୮୦/୩ (ଶିଖର ଧାୱନ୍-୯୭*, ଋଷବ ପନ୍ତ୍-୪୬, କଲିନ ଇନ୍ଗ୍ରାମ୍-୧୪*, ପ୍ରସିଦ୍ଧ କୃଷ୍ଣ-୧/୨୫, ଆନ୍ଦ୍ରେ ରସେଲ-୧/୨୯, ନୀତିଶ ରାଣା-୧/୧୨)
from ଖେଳ – Sambad http://bit.ly/2IvA0u8