ଦୁର୍ଘଟଣାରେ ମୃତ ବିଜେଡି କର୍ମୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

zisanmohammad
0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ କାମ କରୁନଥିବାରୁ ଦୁର୍ଘଟଣାରେ ଆହତ ଜଣେ ବିଜେଡି କର୍ମୀଙ୍କ ମୃତ୍ୟୁ ଘଟିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ନେତା ଗୌରୀ ମାଝୀ ଦାବି କରିଛନ୍ତି।
ଗୌରୀ ମାଝୀଙ୍କ କହିବା ଅନୁଯାୟୀ, ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଉମରକୋଟ ଗସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ନନ୍ଦାହାଣ୍ଡି ବ୍ଲକର ବିଜେଡି କର୍ମୀ ତ୍ରିଲୋଚନ ମାଳି ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ତ୍ରିଲୋଚନଙ୍କ ସ୍ବାସ୍ଥ୍ୟ ବୀମା କାର୍ଡରେ ମାତ୍ର ୩୦ ହଜାର ଟଙ୍କା ରହିଥିବା ମେଡିକାଲ କର୍ତୃପକ୍ଷ କହିବା ସହ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପାଖରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକ ତ୍ରିଲୋଚନଙ୍କୁ ଘରକୁ ନେଇ ଆସିଥିଲେ। ଗତ ୧୧ତାରିଖରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ତ୍ରିଲୋଚନଙ୍କ ପତ୍ନୀଙ୍କ ଗତ ଦିନରେ ମୃତ୍ୟୁ ଘଟିଥିବା ବେଳେ ବର୍ତମାନ ବାପାଙ୍କୁ ହରାଇ ୪ ସନ୍ତାନ ଅନାଥ ହୋଇ ଯାଇଛନ୍ତି। ଅସହାୟ ଅବସ୍ଥାରେ ରହିଥିବା ଏହି ୪ସନ୍ତାନଙ୍କ ପାଠପଢ଼ା ଖର୍ଚ ରାଜ୍ୟ ସରକାର ବହନ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।
ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାସ କହିଛନ୍ତି ଯେ, ଏଭଳି ଅନେକ ବ୍ୟକ୍ତି ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡର ସୁଫଳ ପାଇପାରୁନାହାନ୍ତି। ଏଣୁ ତୁରନ୍ତ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଇଲେ ନବରଙ୍ଗପୁର ଜିଲ୍ଲାର ରୋଗୀ ମାନେ ଅନ୍ତତଃ ଆନ୍ଧ୍ରର ବିଶାଖାପାଟଣାକୁ ଯାଇ ଚିକିତ୍ସିତ ହୋଇପାରିବେ। ଅନ୍ୟପଟେ ତ୍ରିଲୋଚନ ଆହତ ଥିବା ସମୟରେ ତଥା ମୃତ୍ୟୁ ପରେ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ପାଦ ତାଙ୍କ ଘରେ ନପଡିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଶ୍ରୀ ଦାସ କହିଥିଲେ।
ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ସାରା ଦେଶରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି। କିନ୍ତୁ ଏଭଳି ପରିସ୍ଥିତିରେ ନବରଙ୍ଗପୁର ଜିଲ୍ଲାରେ ବିଜେଡି ତେଲୁଗୁ ଅଭିନେତାଙ୍କୁ ଆଣି ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ କରିବା ପରିତାପର ବିଷୟ ବୋଲି ମଧ୍ୟ ଶ୍ରୀ ଦାସ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୁଲୁ ତ୍ରିପାଠୀ, ସୁବ୍ରତ ମିଶ୍ର, ସଂଜୀବ ନନ୍ଦ, ଅରୁଣ ପୂଜାରୀ, ମନୋଜ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ।



from ଜିଲ୍ଲା – Sambad https://ift.tt/2Sg3w8t

Post a Comment

0Comments
Post a Comment (0)