ବଢୁଛି ଟ୍ରାଫିକ ସମସ୍ୟା,୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ

zisanmohammad
0

ବଲାଙ୍ଗୀର: ବଲାଙ୍ଗୀର ସହର ଦେଇ ଯାଇଛି ଦୁଇ ଦୁଇଟି ଜାତୀୟ ରାଜପଥ। ତେଣୁ ଦିନକୁ ଦିନ ବଢ଼ୁଛି ଟ୍ରାଫିକ ସମସ୍ୟା। ଅନେକ ଘଟଣା ଓ ଦୁର୍ଘଟଣା ହେଲା ପରେ ବି ବାଇପାସ ନିର୍ମାଣ କାମ ହୋଇ ପାରୁନି। ପ୍ରତିଦିନ ୧୮ ଘଣ୍ଟା ଧରି ସହର ଦେଇ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇଛି। ତେଣୁ ବାକି ୬ ଘଣ୍ଟା ଭାରୀଯାନ ସହର ଦେଇ ପାର ହେଉଛି। ସେ ସମୟରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଜି ବଡ଼ି ଭୋରରୁ ଏକ ରାଜନୈତିକ ସମାବେଶରେ ଯୋଗ ଦେବା ପାଇଁ କଲାହାଣ୍ଡି ଜିଲ୍ଲାରୁ ବରଗଡ଼ ଯାଉଥିଲା ଶହଶହ ସଂଖ୍ୟାରେ ବସ। ଏ ଭିତରେ ବଲାଙ୍ଗୀର ନିକଟ ସିନଖମନଠାରେ ଟ୍ରାଫିକ ଭିଡ଼ରେ ଫସିଥିଲା ଏକ ଆମ୍ବୁଲାନ୍ସ। ଗୁରୁତର ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଚାରିଘଣ୍ଟା ଧରି ରାସ୍ତା ଉପରେ ସାଇରନ ମାରୁଥିଲା। କେହି ଶୁଣୁ ନଥିଲେ। ଗତକାଲି ରାତି ୩ ଟାରେ କଳାହାଣ୍ଡି ଜିଲ୍ଲା ଟେପସା ଗାଁର ଗରୁତର ଟିବି ରୋଗୀ ହରି ମାଝୀଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଟିଟିଲାଗଡ଼ରୁ ବଲାଙ୍ଗୀର ହସପିଟାଲକୁ ଆଣୁଥିଲେ। ଆମ୍ବୁଲାନ୍ସ ବି ବଲାଙ୍ଗୀରଠୁ ୧୦ କିଲୋମିଟର ପୂର୍ବରୁ ମଠଖାଇ ମନ୍ଦିର ନିକଟରେ ଟ୍ରାଫିକ ଯୋଗୁଁ ଆଉ ଆଗକୁ ଯାଇ ପାରି ନଥିଲା। ଆମ୍ବୁଲାନ୍ସ କର୍ମଚାରୀ ନିଜ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ପୁଲିସକୁ ଜଣାଇଥିଲେ। କିନ୍ତୁ, ଘଟଣାର ଚାରିଘଣ୍ଟା ପରେ ପିସିଆର ପୁଲିସ ସେଠାକୁ ପହଞ୍ଚିଥିଲା। ଏହାପରେ ଆମ୍ବୁଲାନ୍ସଟି ଟ୍ରାଫିକରୁ ବାହାରି ଚପାରିଥିଲା। ବରଗଡ଼ ସମାବେଶରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବସ ବରଗଡ଼ ଯାଉଥିଲା। ଆଉ ଠିକ ଏହି ସମୟରେ, ଭାରୀଯାନ ସବୁ ସହର ପାରି ହେଉଥିବାରୁ, ଟ୍ରାଫିକ ଜାମ ହୋଇଥିଲା। ସୂଚନାଯୋଗ୍ୟ ଯେ, ସହରରେ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ବହୁ ଦିନରୁ ଦାବି ହେଉଥିଲେ ମଧ୍ୟ ରାଜନୀତିର ପଶାପାଳିରେ ଅଟକି ରହିଛି। ସହର ଭିତରେ ବାରମ୍ବାର ଦୁର୍ଘଟଣା ଘଟି ନିରୀହଙ୍କ ଜୀବନ ଯିବା ପରେ ଜୋରଦାର ଆନ୍ଦୋଳନ ହୋଇଥିଲା। ଫଳରେ ଜିଲ୍ଲା ଓ ପୁଲିସ ପ୍ରଶାସନ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରୀଯାନ ୧୮ ଘଣ୍ଟା ଧରି ଅଟକି ରହୁଛି। ଫଳରେ ଟ୍ରକଗୁଡ଼ିକର ଡ୍ରାଇଭର ହେଲପର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିତିଦିନିଆ ସମସ୍ୟା ଏହା ହୋଇଛି। ଏବେ ନିର୍ବାଚନ ପାଖେଇ ଆସିଥିବାରୁ ବିଭିନ୍ନ ରାଜନୈତିକ ଦଳର ହେଭିୱେଟଙ୍କ ଗସ୍ତ ପାଇଁ ପ୍ରତ୍ୟକ ଦିନ ହଜାର ହଜାର ବସ ଯିବା ଆସିବା କରୁଛି। ଫଳରେ ଟ୍ରାଫିକ ଜାମ ହୋଇ ଏନଏଚ ଉପରେ ଗାଡ଼ି ମୋଟର ଅଟକି ରହୁଛି।



from ଜିଲ୍ଲା – Sambad https://ift.tt/2SivHnp

Post a Comment

0Comments
Post a Comment (0)