ନ୍ୟୁଜିଲାଣ୍ଡ୍‌ ୩-୦ରେ ଶୃଙ୍ଖଳା ପୋଛିଲା, ସବିର୍‌ଙ୍କ ଶତକ ସତ୍ତ୍ବେ ବାଂଲାଦେଶ ପରାସ୍ତ

zisanmohammad
0

ଦୁନେଦିନ୍‌: ପ୍ରତ୍ୟାବର୍ତନରେ ସବିର୍‌ ରହ୍‌ମନ୍‌ଙ୍କ ଚିତାକର୍ଷକ ଶତକ ବି ବାଂଲାଦେଶର ପରାଜୟ ଧାରାକୁ ରୋକିପାରିଲାନି। ବୁଧବାର ଟିମ୍‌ ସାଉଦିଙ୍କ ଅଗ୍ନିବର୍ଷୀ ବୋଲିଂ ଆଗରେ ତିଷ୍ଠିନପାରି ଏହି ଭ୍ରମଣକାରୀ ଦଳ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌କୁ ୮୮ ରନ୍‌ରେ ହାରିଗଲା। ଫଳରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିନେଲା। ୬ ୱିକେଟ୍‌ ସଫଳତା ସାଉଁଟିଥିବା ସାଉଦି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ପ୍ରଥମ ଦୁଇ ଦିନିକିଆରେ କ୍ରମାଗତ ଶତକ ଜମାଇବା ପରେ ବୁଧବାର ମ୍ୟାଚ୍‌ରେ ୨୯ ରନ୍‌ କରିଥିବା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇନେଲେ।

ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିଥିଲା। ହେଲେ ଘରୋଇ ଦଳ ତିନି ଅର୍ଧଶତକ ସାଙ୍ଗକୁ ଅଲ୍‌ରାଉଣ୍ଡର ଜିମ୍ମି ନିସାମ୍‌ (୩୭ ରନ୍‌, ୨୪ ବଲ୍‌, ୩ ଚୌକା, ୨ ଛକା), କଲିନ୍‌ ଡି ଗ୍ର‌ାଣ୍ଡୋମେ (୩୭* ରନ୍‌, ୧୫ ବଲ୍‌, ୪ ଚୌକା, ୨ ଛକା) ଓ ମିଚେଲ ସାଣ୍ଟ୍‌ନର୍‌ (୧୬ ରନ୍‌, ୯ ବଲ୍‌, ୧ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୬ ୱିକେଟ୍‌ ବିନିମୟରେ କରିଥିଲା ୩୩୦ ରନ୍‌। ଏମାନଙ୍କ ବ୍ୟତୀତ ଅଭିଜ୍ଞ ରସ୍‌ ଟେଲର (୬୯ ରନ୍‌), ହେନରି ନିକୋଲ୍‌ସ (୬୪) ଓ ଅଧିନାୟକ ଟମ୍‌ ଲାଥାମ୍‌ ୫୯ ରନ୍‌ କରିଥିଲେ। ଜବାବରେ ସାଉଦି ପ୍ରଥମ ଓଭରରେ ହିଁ ତମିମ୍‌ ଇକ୍‌ବାଲ୍‌ (୦) ଓ ସୌମ୍ୟ ସର୍‌କାର (୦)ଙ୍କୁ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲା ବେଳେ ତୃତୀୟ ଓଭରରେ ଲିଟନ୍‌ ଦାସ (୧)ଙ୍କୁ ଶିକାର କରିଥିଲେ। ଏହାପରେ ଅଧିନାୟକ ମସ୍ରଫ୍ ମୋର୍ତାଜା (୨) ଓ ମେହେଦି ହାସନ୍‌ ମିରାଜ୍‌ (୩୭)ଙ୍କୁ ଆଉଟ୍‌ କରିବା ପରେ ଶତକୀୟ ପାଳି ଖେଳିଥିବା ସବିର୍‌ ରହମନ୍‌ଙ୍କୁ ଆଉଟ୍‌ କରି ବାଂଲାଦେଶ ପାଳି ସଫା କରିଦେଇଥିଲେ। ୧୧୦ ବଲ୍‌ରୁ ୧୨ ଚୌକା ଓ ୨ ଛକା ସହାୟତାରେ ୧୦୨ ରନ୍‌ କରି ଏକାକି ଲଢିଥିବା ସବିର ପ୍ରତ୍ୟାବର୍ତନରେ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ବ୍ୟତୀତ ମହମ୍ମଦ ସୈଫୁଦିନ୍‌ ୪୪ ଓ ମେହେଦି ହାସନ୍‌ ମିରାଜ୍‌ ୩୭ ରନ୍‌ କରିଥିଲେ। ହେଲେ ସାଉଦିଙ୍କ ୬୫ ରନ୍‌ରେ ୬ ୱିକେଟ୍‌ ଦଖଲ ଯୋଗୁଁ ବାଂଲାଦେଶ ବିଜୟଠୁ ୮୯ ରନ୍‌ ଦୂରରେ ଅଲ୍‌ଆଉଟ୍‌ ହୋଇଗଲା। ବାଂଲାଦେଶ ୪୭.୨ ଓଭରରେ ୨୪୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପାଳି ୩୩୦/୬ (ରସ୍‌ ଟେଲର ୬୯, ହେନରି ନିକୋଲ୍‌ସ ୬୪, ଟମ୍‌ ଲାଥାମ୍‌ ୫୯, ମୁସ୍ତାଫିଜୁର ରହମନ୍‌ ୨/୯୩)। ବାଂଲାଦେଶ ପାଳି ୪୭.୨ ଓଭରରେ ୨୪୨ (ସବିର୍‌ ରହମନ୍‌ ୧୦୨, ମହମ୍ମଦ ସୈଫୁଦିନ୍‌ ୪୪, ମେହେଦି ହାସନ୍‌ ମିରାଜ୍‌ ୩୭, ଟିମ୍‌ ସାଉଦି ୬/୬୫, ଟ୍ରେଣ୍ଟ୍‌ ବୋଲ୍‌ଟ ୨/୩୭, କଲିନ୍‌ ଡି ଗ୍ରାଣ୍ଡୋମେ ୧/୧୮)।



from ଖେଳ – Sambad https://ift.tt/2DZ8th5

Post a Comment

0Comments
Post a Comment (0)