
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ଉପରେ କାଲକାଟା ହାଇକୋର୍ଟଙ୍କ ସ୍ଥଗିତାଦେଶ ବିରୋଧରେ ସୋମବାର ଭାରତୀୟ ଜନତା ପାର୍ଟି ସୁପ୍ରିମକୋର୍ଟରେ ଆବେଦନ କରି ମାମଲାର ଜରୁରୀ ଶୁଣାଣି ଲାଗି ଅନୁରୋଧ କରିଥିଲା। ମାତ୍ର ସର୍ବୋଚ୍ଚ ଅଦାଲତ ଏହି ଆବେଦନର ତୁରନ୍ତ ଶୁଣାଣି ଅନୁରୋଧକୁ ନାକଚ କରିବା ସହ ବଡ଼ଦିନ ଛୁଟି ପରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି। ୨୦୧୯ ଜାନୁଆରି ୨ରେ ସୁପ୍ରିମ କୋର୍ଟ ଖୋଲିଲେ ଆବେଦନର ଶୁଣାଣି ଲାଗି ତାରିଖ ସ୍ଥିର ହେବ ବୋଳି ଜଣାପଡ଼ିଛି।
ବିଜେପିର ପଶ୍ଚିମବଙ୍ଗ ଶାଖା କାଲକାଟା ହାଇକୋର୍ଟ ରଥଯାତ୍ରା ଉପରେ ଜାରି କରିଥିବା ସ୍ଥଗିତଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଶୁକ୍ରବାର କାଲକାଟା ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚ ପଶ୍ଚିମବଙ୍ଗରେ ବିଜେପିର ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ଲାଗି ଅନୁମତି ପ୍ରତ୍ୟାହାର କରି ନେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଥିଲା କି ରଥଯାତ୍ରା ହେଲେ ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ କ୍ଷୁର୍ଣ୍ଣ ହେବ।
ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ଡିସେମ୍ବର ୨୮ରୁ ୩୧ ମଧ୍ୟରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି । ପ୍ରଥମେ ପଶ୍ଚିମବଙ୍ଗ ସରକାର ଏଥିଲାଗି ଅନୁମତି ଦେଇ ନ ଥିଲେ। ଏହା ପରେ ବିଜେପି ପକ୍ଷରୁ କାଲକାଟା ହାଇକୋର୍ଟଙ୍କ ନିକଟରେ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରାଯାଇଥିଲା । କାଲକାଟା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଯାତ୍ରା ଲାଗି ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ। ପରେ ପଶ୍ଚିମବଙ୍ଗ ସରକାର କୋଲ୍କାତା ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚରେ ଏ ନେଇ ପୁନଃ ଆବେଦନ କରିଥିଲେ।
from ରାଜନୀତି – Sambad http://bit.ly/2Q0QKtj