ମାଲକାନଗିରିରେ ପ୍ରଶାସନିକ ବିବାଦ ତୀବ୍ର : ଏଡିଏମ୍‌ଙ୍କୁ ପୂରାଇଦେଲେନି, ହଟହଟା ହେଲେ

zisanmohammad
0

ମାଲକାନଗିରି : ଜିଲ୍ଲା ପ୍ରଶାସନ ସହ ବିବାଦ ଯୋଗୁଁ ମାଲକାନଗିରି ଏଡିଏମ୍‌ ଅଯୋଧ୍ୟାକାନ୍ତ ଶତପଥୀଙ୍କୁ ପୁଣି ହଟହଟା ହେବାକୁ ପଡ଼ିଛି। ଆଜି ଅଫିସ୍‌କୁ ଯାଇଥିବାବେଳେ ପିଅନ ତାଲା ଖୋଲିଲେନି କି ଚେୟାର୍‌ ବି ଦେଲେନି। ଫଳରେ, କାର୍ଯ୍ୟାଳୟ ବାହାରେ ଘଣ୍ଟାଏ ଠିଆ ହେବା ପରେ ସେ ବାଧ୍ୟ ହୋଇ ଘରକୁ ଫେରି ଆସିଥିଲେ। ଜିଲ୍ଲା ପ୍ରଶାସନ ବିବାଦ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଏଡିଏମ ଶ୍ରୀ ଶତପଥୀ ମାଲକାନଗିରି ଜିଲ୍ଲାରେ ଯୋଗଦେବାର କିଛିଦିନ ପରେ ଜିଲ୍ଲା ପ୍ରଶାସନ ସହ ବିବାଦ ଆରମ୍ଭ ହୋଇଥିଲା। ବିବାଦୀୟ ସ୍ଥିତିରେ ଗତ ୭ତାରିଖ ଦିନ ଶ୍ରୀ ଶତପଥୀଙ୍କୁ ରାୟଗଡ଼ା ଆଞ୍ଚଳିକ ଶିଳ୍ପ କେନ୍ଦ୍ରରେ ଜେନେରାଲ ମ୍ୟାନେଜର ରୂପେ ବଦଳି କରାଗଲା। ମାତ୍ର, କିଛି ଘଣ୍ଟା ବ୍ୟବଧାନରେ ବଦଳିକୁ ବାତିଲ କରି ପୂର୍ବ ଦାୟିତ୍ବରେ ରହିବାକୁ କୁହାଗଲା। ଏହି ନିର୍ଦେଶ ପାଇବା ପରେ ପୁଣି ଗତ ୨୨ ତାରିଖ ଦିନ ଅତିରିକ୍ତ ଜିଲ୍ଲାପାଳ ପୁନଃ ନିଜ ଦାୟିତ୍ବରେ ଯୋଗ ଦେଇଥିଲେ। ଏନେଇ ସେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଏବଂ ସରକାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ।

ଗତକାଲି ରବିବାର ଛୁଟି ରହିଥିବା ବେଳେ ଆଜି ପୁରୁଣା ଦାୟିତ୍ବକୁ ଫେରି ଏଡିଏମ ଶ୍ରୀ ଶତପଥୀ କାମ ଆରମ୍ଭ କରିଥିଲେ। ମାତ୍ର କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ଏନେଇ ସେ ସମସ୍ତ ପିଅନଙ୍କୁ ପଚାରିବାରୁ କେହି ମଧ୍ୟ ଚାବି ନଥିବା କହିଥିଲେ। ଜିଲ୍ଲାପାଳ ଛୁଟି ଥିବାରୁ ଦାୟିତ୍ବରେ ଥିବା ପିଡି ଡିଆରଡିଏଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଉତ୍ତର ମିଳି ନଥିଲା। ଦୀର୍ଘ ସମୟ ଧରି ନିଜ ଅଫିସ ଆଗରେ ଠିଆ ହୋଇ ଚାବି ପାଇଁ ସମସ୍ତ ଅଧିକାରୀଙ୍କୁ କହିଥିଲେ ସୁଦ୍ଧା କେହି ତାଙ୍କ କଥାକୁ ଗୁରୁତ୍ବ ଦେଉନଥିଲେ। ଏପରିକି ପିଅନମାନେ ମଧ୍ୟ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କ କଥାକୁ ଖାତିରି କରୁନଥିବା ଦେଖିବାକୁ ମିଳିଥିଲା। ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସରକାରୀ ଗାଡ଼ି ବି ଦିଆଯାଇ ନଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଏଡିଏମ ଠିଆ ହେବା ପରେ ଫେରିବା ପାଇଁ ବାଧ୍ୟ ହୋଇଥିଲେ।



from ଜିଲ୍ଲା – Sambad http://bit.ly/2LxZBCb

Post a Comment

0Comments
Post a Comment (0)