ସୁଭାଷ ବୋଷ ସେତୁ ଆଲୋକୀକରଣରେ ଦୁର୍ନୀତି

zisanmohammad
0

ଯାଜପୁରରୋଡ୍/ଭୁବନେଶ୍ବର : ଯାଜପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ସମେତ ଅନେକ ଜିଲ୍ଲାରେ ଗ୍ରାମାଞ୍ଚଳ ଷ୍ଟ୍ରିଟ୍ ଲାଇଟ୍ କେଳେଙ୍କାରୀର ବହୁ ଗୁମର ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ଖୋଲିଥିଲା। ଏବେ ପୁଣି ଏହି ଟିମ୍ ହାତରେ ସହର‌େର ଲାଗୁଥିବା ଷ୍ଟ୍ରିଟ୍ ଲାଇଟ୍ ମହାଦୁର୍ନୀତିର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। କଟକର ଜୁଡ଼ିସିଆଲ ଏକାଡ଼େମୀ ଛକଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ କାଠଯୋଡ଼ି ନଦୀ ଉପରେ ନୂତନ ଭାବେ ନିର୍ମିତ ହୋଇଥିବା ନେତାଜୀ ସୁଭାଷ ବୋଷ ସେତୁ ଆଲୋକୀକରଣରେ ବ୍ୟାପକ ଘୋଟାଲା ହୋଇଛି। ‌ଟେଣ୍ଡର ଫିକ୍ସିଂ କରି ୬୩ଲକ୍ଷ ଟଙ୍କା ଚଳୁ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

କାଠଯୋଡ଼ି ନଦୀ ଉପରେ କଟକର ଜୁଡ଼ିସିଆଲ ଏକାଡ଼େମୀଛକ ଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ନବନିର୍ମିତ ନେତାଜୀ ସୁଭାଷ ବୋଷ ସେତୁ ରହିଛି। ଏହାର ଆଲୋକୀକରଣ ଉପରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର୍‌ କରାଯାଇଥିଲା। ଏହି ମାମଲା ଶୁଣାଣି ସମୟରେ ପୂର୍ତ୍ତ ବିଭାଗ କଟକ ଡିଭିଜନ୍-୧ର ନିର୍ବାହୀ ଯନ୍ତ୍ରୀ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, କଟକ ପୈାର ନିଗମ(ସିଏମସି) ଆଲୋକୀକରଣ କାର୍ଯ୍ୟ କରିବ ଏବଂ ଏହି ବାବଦରେ ବ୍ୟୟ ପାଇଁ ପୂର୍ତ୍ତ ବିଭାଗ ସିଏମ୍‌ସିକୁ ଅନୁଦାନ ପ୍ରଦାନ କରିବ ।

ତଦନୁଯାୟୀ, ଗତବର୍ଷ ଏପ୍ରିଲ ୨୮ତାରିଖରେ ଏହି ସେତୁର ‌ଆଲୋକୀକରଣ ପାଇଁ ୨‌େକାଟି ୫୩ ଲକ୍ଷ ୬୪ହଜାର ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରି ସିଏମ୍‌ସିର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦାନ କରିଥିଲେ। ସିଏମ୍‌ସି କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଏଷ୍ଟିମେଟ୍ ରିପୋର୍ଟ ହସ୍ତାନ୍ତର କରିଥିଲେ।

ମାତ୍ର ପୂର୍ତ୍ତ ବିଭାଗ ଅଧିକାରୀ ସିଏମ୍‌ସିକୁ ଅନ୍ଧାରରେ ରଖି ଯୋଜନାବଦ୍ଧ ଭାବେ ନିଜେ ଟର୍ଣ୍ଣକି ଟେଣ୍ଡର୍ (ସମୁଦାୟ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ) ଆହ୍ବାନ କଲେ। ସିଏମ୍‌ସି ଦେଇଥିବା ବ୍ୟୟ ଅଟକଳ ଠାରୁ ଏହା ଢେର ଅଧିକ‌ ମୂଲ୍ୟ ଅର୍ଥାତ୍‌ ୩କୋଟି ୬୮ଲକ୍ଷ ୯୪ହଜାର ୮୯୪ଟଙ୍କାରେ ଆହ୍ବାନ ହୋଇଥିଲା। ଏଥିସହିତ, ସଂପୃକ୍ତ ଅଧିକାରୀ ଗୋଳିଆ ପରିସ୍ଥିତି ସୃଷ୍ଟି କରି ନିର୍ଦ୍ଦିଷ୍ଟ ଏକ କମ୍ପାନିକୁ ଠିକା ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତି କଲେ। ଜିଅନ୍ ଏନର୍ଜି କ‌େଣ୍ଟ୍ରାଲସ୍ ଠିକାସଂସ୍ଥା ସହ ମୂଲ୍‌ଚାଲ୍‌ କରି ୩କୋଟି ୧୭ଲକ୍ଷ ୫୫ହଜାର ୭୦୦ଟଙ୍କାରେ ଟର୍ଣ୍ଣକି‌ ଟେଣ୍ଡର ଦିଆଯାଇଛି। ଏବଂ, ଏହି ଟେଣ୍ଡର୍‌ରେ ବଡ଼ଧରଣର ଘୋଟାଲା ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ଏବେ ପ୍ରଶ୍ନ ଉଠୁଛି, ନେତାଜୀ ସେତୁ ଆଲୋକୀକରଣ ପାଇଁ ସିଏମ୍‌ସି କାମ କରିବ ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଅଧିକାରୀ ହାଇକୋର୍ଟରେ କହିଥିବାବେଳେ କେଉଁ ପରିସ୍ଥିତିରେ ସେ ନିଜେ ଟର୍ଣ୍ଣକି ଟେଣ୍ଡର ଆହ୍ବାନ କଲେ? କାହା ସ୍ବାର୍ଥରେ ପୂର୍ତ୍ତ ବିଭାଗ ଅଧିକାରୀ ସିଏମ୍‌ସି ବ୍ୟୟ ଅଟକଳ ଠାରୁ ୬୩ ଲକ୍ଷ ୯୧ହଜାର ୭୦୦ଟଙ୍କାରୁ ଅଧିକରେ ଠିକା କମ୍ପାନିକୁ କାମ ଟେକିଦେଲେ? ସେହିପରି ଏହି ଠିକା ସଂସ୍ଥାର ଟର୍ଣ୍ଣକି ଟେଣ୍ଡର ପାଇବାର ଯୋଗ୍ୟତା ଅଛିକି?

ଏବେ ଏହିସବୁ ପ୍ରଶ୍ନରେ ସଂପୃକ୍ତ ଅଧିକାରୀ ଘାଣ୍ଟି ହେଉଛନ୍ତି। ଏହି ଘୋଟାଲାର ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଅନୁମାନ କରାଯାଉଛି।



from ଜିଲ୍ଲା – Sambad http://bit.ly/2V9OB2j

Post a Comment

0Comments
Post a Comment (0)