କୁମ୍ଭୀର ମୁହଁରୁ ବଞ୍ଚାଇବା ଘଟଣା:ଦେଢ଼ବର୍ଷ ପରେ ସାହସିକତା ପୁରସ୍କାରକୁ ନେଇ ବିବାଦ

zisanmohammad
0
କୁମ୍ଭୀର ମୁହଁରୁ ବଞ୍ଚାଇବା ଘଟଣା:ଦେଢ଼ବର୍ଷ ପରେ ସାହସିକତା ପୁରସ୍କାରକୁ ନେଇ ବିବାଦ

କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ବଡ଼ ଭଉଣୀକୁ ବଞ୍ଚାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ଅଧୀନ ବାଙ୍କୁଆଳ ଗ୍ରାମର ମମତା ଦଳାଇଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତିଙ୍କଠାରୁ ନୂଆଦିଲ୍ଲୀରେ ସାହସିକତା ପୁରସ୍କାର ପାଇବେ। ତେବେ ତା’ ପୂର୍ବରୁ ଏବେ ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି। ମମତା ନୁହେଁ ବରଂ ସେହି ଗ୍ରାମର ପ୍ରତିଭା ବେହେରା ମମତାର ବଡ଼ ଭଉଣୀ ଅଶାନ୍ତିକୁ କୁମ୍ଭୀର କବଳରୁ ବଞ୍ଚାଇଥିଲା ବୋଲି ଜିଲ୍ଲାପାଳଙ୍କ ପାଖରେ ଦାବି କରାଯାଇଛି। ପ୍ରତିଭାର ମା’, ବାପା ଆଜି ଜିଲ୍ଲାପାଳ ରଘୁ ଜୀଙ୍କୁ ଭେଟି ଏଭଳି ଦାବି ରଖିଛନ୍ତି। କିନ୍ତୁ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରତିଭାଙ୍କ ପରିବାର ଲୋକେ କାହିଁକି ଚୁପ୍‌ ରହିଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତିଭାର ମା’ ମେନକା ବେହେରା ଦର୍ଶାଇଛନ୍ତି ଯେ, ଘଟଣା(୨୦୧୭, ଏପ୍ରିଲ୍‌ ୬) ଦିନ ମମତା, ଅଶାନ୍ତି ଓ ପ୍ରତିଭା ନଦୀ କୂଳରେ କାଗଜ ଡ଼ଙ୍ଗା ଭସାଇ ଖେଳୁଥିଲେ। ଏତିକି ବେଳେ ଅଶାନ୍ତିକୁ କୁମ୍ଭୀର ଟାଣି ନେଉଥିଲା। ପ୍ରତିଭା କୁମ୍ଭୀରକୁ ଟେକା ଫୋପାଡ଼ି ଥିଲେ। ଫଳରେ କୁମ୍ଭୀରଟି ଅଶାନ୍ତିକୁ ଛାଡ଼ି ପଳାଇଥିଲା। ତତ୍କାଳୀନ ଡାଙ୍ଗମାଳ ରେଞ୍ଜ ଅଫିସର୍‌ ଅକ୍ଷୟ ନାୟକ ପ୍ରତିଭାକୁ ଅଫିସକୁ ଡ଼କାଇ ତା’ର ସାହସିକତାକୁ ପ୍ରଶଂସା କରିଥିଲେ। ତେବେ ମମତାକୁ ପୁରସ୍କାର ଦିଆଯିବା ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିଲେ ବୋଲି ପ୍ରତିଭାର ମା’ ମେନକା ଦର୍ଶାଇଛନ୍ତି। ମମତା ବଡ଼ ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇଥିବାରୁ ନିକଟରେ ଲକ୍ଷେ ଟଙ୍କା ପୁରସ୍କାର ପାଇଥିବା ଗାଁଲୋକଙ୍କଠାରୁ ଶୁଣିଥିଲେ। ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇଛୁ। ଜିଲ୍ଲାପାଳ ଏହାର ତଦନ୍ତ ନ କଲେ ସ୍ୱାଧୀନତା ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ପ୍ରତିଭାର ବାପା ଉତ୍ତମ ବେହେରା ଚେତାବନୀ ଦେଇଛନ୍ତି।
ମମତା ତା’ର ସାହସିକତା ପାଇଁ ଗତବର୍ଷ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇ ସାରିଛନ୍ତି। ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସାହସିକତା ପୁରସ୍କାର ପାଇବେ। ଗତ ଜାନୁଆରି ୨୬ରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ବର୍ଦ୍ଧର୍ିତ ହେବା ସହ ୧ଲକ୍ଷ ଟଙ୍କା ପୁରସ୍କାର ହାସଲ କରି ସାରିଛନ୍ତି। ଏବେ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ହେବା ଠିକ୍‌ ପୂର୍ବରୁ ଏହି ବିବାଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ତତ୍‌କାଳୀନ ରେଞ୍ଜ ଅଫିସର୍‌୍‌ ଶ୍ରୀ ନାୟକ କହିଛନ୍ତି, ପ୍ରତିଭା ଅଶାନ୍ତିକୁ ବଞ୍ଚାଇଥିଲା। ସେ ନିଜେ ଘଟଣାସ୍ଥଳରେ ପହଞ୍ଚି ଆହତ ଅଶାନ୍ତିକୁ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅଫିସ୍‌ରୁ ଘଟଣାର ତଦନ୍ତ କରାଯାଇ ମମତାକୁ ପୁରସ୍କୃତ କରାଯିବା ପରେ ସେ କିଛି କହିବା ଉଚିତ ମଣି ନଥିଲେ। ମମତାକୁ ତା’ର ଘରେ ପୁରସ୍କୃତ କରିବାକୁ ବହୁ ଅଧିକାରୀ ଓ ରାଜନେତା ଯାଇଛନ୍ତି। ଘରଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ମମତାକୁ ବାରମ୍ବାର ସମ୍ବର୍ଦ୍ଧିତ କରାଯାଇଛି। ବାଜା, ବାଣ, ରୋଷଣିରେ ତାକୁ ସ୍ୱାଗତ କରାଯାଇଛି। ଏତେସବୁ ସତ୍ତ୍ୱେ ପ୍ରତିଭାର ପରିବାର ଲୋକେ ଦେଢ ବର୍ଷ ଧରି ଘଟଣା ସମ୍ପର୍କରେ କିପରି ଜାଣି ପାରିଲେ ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି।



from ଜିଲ୍ଲା – Sambad https://ift.tt/2MiOjl0

Post a Comment

0Comments
Post a Comment (0)