ହସିବ ମର୍ଜାକୁଦ:ଫିଟିବ ବିକାଶର ରାସ୍ତା

zisanmohammad
0
ହସିବ ମର୍ଜାକୁଦ:ଫିଟିବ ବିକାଶର ରାସ୍ତା

ବୌଦ୍ଧ: ଆଉ ମାତ୍ର କେଇଟା ମାସ ପରେ ବୌଦ୍ଧ ଜିଲ୍ଲାକୁ ପୂରିବ ପଚିଶ ବର୍ଷ। ରୌପ୍ୟ ଜୟନ୍ତୀ ପାଳିବ ଐତିହାସିକ ବୌଦ୍ଧ। ଏହି ସମୟ ମଧ୍ୟରେ ବୌଦ୍ଧ ଜିଲ୍ଲା ତାହାର ଅନ୍ୟ ପଡ଼ୋଶୀ ଜିଲ୍ଲାଗୁଡ଼ିକ ତୁଳନାରେ ଅନେକ ପଛରେ ରହିଯାଇଛି ତାହା ସ୍ୱୀକାର କରିବାକୁ ହେବ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଦୃଷ୍ଟିରୁ ବିକାଶର ଅଗ୍ରଗତି ହୋଇଥିଲେ ମଧ୍ୟ ତାହା ଜିଲ୍ଲାବାସୀଙ୍କ ପାଇଁ ସେତେଟା ସନ୍ତୋଷଜନକ ହୋଇ ପାରି ନଥିବା ଅଞ୍ଚଳରେ ମତପ୍ରକାଶ ପାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗକୁ ଏହାର ଏକ ବଡ଼ ଉଦାହରଣ ଭାବେ ନିଆଯାଇ ପାରେ। ଏସବୁକୁ ବାଦ ଦିଆଗଲେ ଜିଲ୍ଲା ସଦର ମହକୁମା ବୌଦ୍ଧଗଡ଼ ଏନ୍‌ଏସି ମଧ୍ୟରେ ରହିଛି ୧୩ ଓ ୧୪ ନମ୍ବର ଦୁଇଟି ୱାର୍ଡ଼ ଯାହାକୁ ମର୍ଜାକୁଦ ଦ୍ଵୀପ ଭାବେ ଊଣା ଅଧିକେ ସମସ୍ତେ ଜାଣନ୍ତି। ପ୍ରାୟ ୪ ହଜାର ଲୋକ ରହୁଥିବା ଏହି ଅଞ୍ଚଳଟି ବୌଦ୍ଧସ୍ଥିତ ମହାନଦୀର ଘେର ମଧ୍ୟରେ ରହିଯାଇଛି। ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳକୁ ବୌଦ୍ଧ ସହର ସହିତ ଯୋଡ଼ାଯାଇ ପାରି ନହିଁ। ଆଜିର ତାରିଖରେ ମଧ୍ୟ ପିଲାଏ ସ୍କୁଲ, କଲେଜ ଆସିବାକୁ ହେଲେ ଡଙ୍ଗାରେ ବସି ମହାନଦୀ ପାର ହେଉଥିବା ଓ ରୋଗୀଙ୍କୁ ବହୁ ସଙ୍କଟାପନ୍ନ ସ୍ଥିତିରେ ନଦୀ ପାର କରାଯାଉଥିବା ଦୃଶ୍ୟ ଲୋକେ ଗ୍ରହଣ କରି ପାରୁ ନାହାନ୍ତି।
ଏହାର ସମାଧାନ କରାଯିବାକୁ ମହାନଦୀରେ ଏକ ସେତୁ ନିର୍ମାଣର ପ୍ରସ୍ତାବ ହୋଇଥିଲା। ଯାହାକି ବହୁ ବର୍ଷ ପର୍ଯ୍ୟନ୍ତ ଶୀତଳଭଣ୍ଡାରରେ ରହିବା ପରେ ଖୁବ୍‌ ଶୀଘ୍ର ବାସ୍ତବତାରେ ପରିଣତ ହେବାର ନୂଆ ଆଶା ସଞ୍ଚାର ହୋଇଛି। ପ୍ରସ୍ତାବିତ ମର୍ଜାକୁଦ ସେତୁର ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଛନ୍ତି।
୯୩୮ ମିଟର ଲମ୍ବ, ୭.୫ମିଟର ପ୍ରସ୍ଥ ୩୭ ସ୍ପାନସ୍‌ ବିଶିଷ୍ଟ ସେତୁ ନିର୍ମାଣ କରାଯିବ। ପ୍ରତି ସ୍ପାନସ୍‌ ୨୫.୩୫ ମିଟର ରହିବ ଏବଂ ମୋଟ ୪୧୦ ମିଟରର ଅପ୍ରୋଚ ରୋଡ କରାଯିବ। ଏଥିପାଇଁ ପ୍ରାୟ ୪୫କୋଟି ବ୍ୟୟ ଅଟକଳ ରହିଥିବା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ତ୍ରିପାଠୀ କହିଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ଟେକ୍ନିକାଲ ବିଡ୍‌ ହୋଇସାରିଛି। ମୋଟ ୪ଟି ନାମୀ ନିର୍ମାଣ ସଂସ୍ଥା ଟେଣ୍ଡରରେ ଭାଗ ନେଇଥିବା ବେଳେ ବର୍ତ୍ତମାନ ମୂଲ୍ୟାଙ୍କନ ପର୍ଯ୍ୟାୟ ଚାଲିଛି ଓ ଖୁବ ଶୀଘ୍ର ଫାଇନାଲ୍‌ ବିଡ୍‌ ଖୋଲାଯିବ ବୋଲି ଇଂ.ତ୍ରିପାଠୀ ସୂଚନା ଦେଇଛନ୍ତି। ପ୍ରସ୍ତାବିତ ସେତୁ ବୌଦ୍ଧ ମହାନଦୀ କୂଳସ୍ଥିତ ହନୁମାନ ମନ୍ଦିର ପାଖରେ ଓ ନଦୀର ତଳ ମୁଣ୍ଡରେ ନିର୍ମାଣ ପ୍ରସ୍ତାବ ରହିଥିବା ଜଣାଯାଇଛି। ଅପରପକ୍ଷେ ମର୍ଜାକୁଦ ସେତୁ ନିର୍ମାଣକୁ ପ୍ରଶାସନିକ ସ୍ତରରେ ଗୁରୁତ୍ଵର ସହ ନିଆଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ଜିଲ୍ଲାର ଏକ ବିଶେଷ ଆକର୍ଷଣୀୟ ପର୍ଯ୍ୟଟନସ୍ଥାନ ଭାବେ ବିକଶିତ କରିବାକୁ ବୌଦ୍ଧ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ସହଯୋଗରେ ଯୋଜନା ରହିଥିବା ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି। ମର୍ଜାକୁଦରେ ବହୁ ସରକାରୀ ଜମି ରହିଛି। ସେଥିରୁ ୨୫ ଏକର ଅଞ୍ଚଳରେ ଏକ ଏରୋଡ୍ରମ୍‌ ଓ ୫୦ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏକ ହର୍ବାଲ ଗାର୍ଡେନ କରାଯିବାକୁ ବାଚସ୍ପତି ଶ୍ରୀ ଅମାତ ପ୍ରସ୍ତାବ ଦେଇଥିବା ଜଣାଯାଇଛି। ଏହା ସହିତ ବିଭିନ୍ନ ସରକାରୀ କ୍ୱାଟର୍ସ, ମର୍ଜାକୁଦର ତଟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ, ରାସ୍ତା ନିର୍ମାଣ ପ୍ରମୁଖ କରାଯିବ ଯାହା ଦ୍ଵାରା ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ପ୍ରଶାସନିକ ସ୍ତରରେ ଆଶା ପ୍ରକଟ କରାଯାଉଛି।



from ଜିଲ୍ଲା – Sambad https://ift.tt/2OIYm4y

Post a Comment

0Comments
Post a Comment (0)