ନଭ୍‌ଦୀପ୍‌ ସଇନିଙ୍କ ମନୋନୟନ ପରେ ବେଦୀ ଓ ଚୌହାନଙ୍କ ଉପରେ ବର୍ଷିଲେ ଗମ୍ଭୀର

zisanmohammad
0
ନଭ୍‌ଦୀପ୍‌ ସଇନିଙ୍କ ମନୋନୟନ ପରେ ବେଦୀ ଓ ଚୌହାନଙ୍କ ଉପରେ ବର୍ଷିଲେ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ତାରକା ତଥା ଦିଲ୍ଲୀ ଦଳର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଭାରତୀୟ ଦଳର ଦୁଇ ପୂର୍ବତନ ମହାନ୍‌ ଖେଳାଳି ବିଶେନ୍‌ ସିଂହ ବେଦୀ ଓ ଚେତନ ଚୌହାନ୍‌ଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ହରିଆନା ଦ୍ରୁତ ବୋଲର ନଭ୍‌ଦୀପ୍‌ ସଇନି ଆଫ୍‌ଗାନିସ୍ତାନ ବିପକ୍ଷ ଆଗାମୀ ଏକମାତ୍ର ଟେଷ୍ଟ ପାଇଁ ସୋମବାର ଭାରତୀୟ ଦଳରେ ସାମିଲ ହେବା ପରେ ଗମ୍ଭୀର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍‌ ସଂଘ (ଡିଡିସିଏ)ର ଉପରୋକ୍ତ ଦୁଇ ଅଧିକାରୀଙ୍କୁ କଟୁ ସମାଲୋଚନା କରିଛନ୍ତି। ଯେଉଁ ସାଇନିଙ୍କୁ ଦିଲ୍ଲୀ ଦଳରେ ଖେଳାଇବା ଯୋଗୁଁ ତାଙ୍କୁ ଅଧିନାୟକ ପଦ ହରାଇବାକୁ ପଡ଼ିଥିଲା, ସେ ଏବେ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ଗମ୍ଭୀର ଖୁବ୍‌ ଖୁସି ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ସଇନିଙ୍କୁ ଦିଲ୍ଲୀ ଦଳରେ କାହିଁକି ଖେଳାଯିବ ବୋଲି ସେତେବେଳେ ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟି କରିଥିବା ବେଦୀ ଓ ଚୌହାନ୍‌ଙ୍କୁ ସଂପ୍ରତି ୟୁରୋପରେ ପରିବାର ସହ ଛୁଟି ବିତାଉଥିବା ଗମ୍ଭୀର ଟ୍ଵିଟର ଜରିଆରେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ଡିସେମ୍ବରରେ ସଇନିଙ୍କୁ ଓଡ଼ିଶା ବିପକ୍ଷ ମ୍ୟାଚ୍‌ ପାଇଁ ଦିଲ୍ଲୀ ରଣଜୀ ଟ୍ରଫି ଦଳରେ ଗମ୍ଭୀର ସାମିଲ କରିଥିଲେ। ସଇନି ଭାରତର ଭବିଷ୍ୟତ କ୍ରିକେଟର୍‌। ତାଙ୍କ ପାଖରେ ଭରପୁର ପ୍ରତିଭା ରହିଛି। ଆଉ ଜଣେ ବରିଷ୍ଠ କ୍ରିକେଟର୍‌ ଭାବେ ତାଙ୍କୁ ସହାୟତା କରିବା ମୋର କର୍ତବ୍ୟ ବୋଲି ସେତେବେଳେ ଦିଲ୍ଲୀ ରଣଜୀ ଦଳର ନେତୃତ୍ୱ ନେଇଥିବା ଗମ୍ଭୀର କହିଥିଲେ। ହେଲେ ପଡ଼ିଆ ଭିତରେ ହେଉ ବା ବାହାରେ ଗମ୍ଭୀରଙ୍କୁ ସବୁବେଳେ ସମାଲୋଚନା କରୁଥିବା ବେଦୀଙ୍କ ସହିତ ଚୌହାନ୍‌ ତାଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାକୁ ନେଇ ସେତେବେଳେ ଗମ୍ଭୀରଙ୍କ ସହ ଅଧିକାଂଶ ଖେଳାଳି ଦିଲ୍ଲୀ ସଂଘର ଚୟନକର୍ତାଙ୍କ ଉପରେ ସଇନିଙ୍କୁ ସାମିଲ କରିବା ପାଇଁ ପ୍ରବଳ ଚାପ ପ୍ରୟୋଗ କରିଥିଲେ ମଧ୍ୟ ଉଭୟେ ବେଦୀ ଓ ଚୌହାନ୍‌ ଏହାକୁ ତୀବ୍ର ବିରୋଧ କରିଥିଲେ। ସେଥିପାଇଁ ଦିଲ୍ଲୀ ସଂଘ ସହ ଗମ୍ଭୀରଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଦଳର ନେତୃତ୍ୱ ଭାର ହରାଇବାକୁ ପଡ଼ିଥିଲା। ମାତ୍ର ସଇନିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିବା ପରେ ଉଭୟ ବେଦୀ ଓ ଚୌହାନ୍‌ କାହିଁକି ପ୍ରତିବାଦ କରୁନାହାନ୍ତି, ସେ ନେଇ ଗମ୍ଭୀର ପ୍ରଶ୍ନ କରିଛନ୍ତି। ଜାତୀୟ ଦଳରେ ସଇନିଙ୍କ ସାମିଲ ପାଇଁ ଉଭୟେ ଏବେ କଳା ବ୍ୟାଚ୍‌ ପରିଧାନ କାହିଁକି କରୁନାହାନ୍ତି ବୋଲି ଗମ୍ଭୀର ପଚାରିଛନ୍ତି। ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ଏବେ ମଧ୍ୟ ବାଙ୍ଗାଲୋରରେ ହାତରେ ବନ୍ଧା ଯାଛଥିବା କଳା ପଟି ରୋଲ୍‌ ପିଛା ୨୨୫ ଟଙ୍କାରେ ମିଳୁଛି। ବେଦୀ ଓ ଚୌହାନ୍‌ ଏହାକୁ କିଣି ସଇନିଙ୍କ ଭାରତୀୟ ଦଳରେ ସାମିଲ ପ୍ରତିବାଦରେ କଳା ପଟି ପିନ୍ଧନ୍ତୁ ବୋଲି ଗମ୍ଭୀର ଆହ୍ଵାନ କରିଛନ୍ତି। ଶେଷରେ ଗମ୍ଭୀର ତାଙ୍କ ଟ୍ଵିଟ୍‌ରେ ବେଦୀ ଓ ଚୌହାନ୍‌ଙ୍କୁ ଚେତାଇ ଦେଇଛନ୍ତି ଯେ ସଇନି ପ୍ରଥମେ ଜଣେ ଭାରତୀୟ। ଆଉ ତା’ପରେ ସେ କେଉଁ ରାଜ୍ୟର ସେ କଥା ଆସିବ। ଜଣେ ଭାରତୀୟ ଭାବେ କାହାର ବି ଯେକୌଣସି ରାଜ୍ୟରୁ ଖେଳିବାରେ କୌଣସି ଅସୁବିଧା ରହିବା କଥା ନୁହେଁ ବୋଲି ଗମ୍ଭୀର ଦୁଇ ବିବାଦୀୟ ତାରକା ବେଦୀ ଓ ଚୌହାନ୍‌ଙ୍କୁ ଚେତାଇ ଦେଇଛନ୍ତି।



from ଖେଳ – Sambad https://ift.tt/2Mlajw9

Post a Comment

0Comments
Post a Comment (0)