
ମସ୍କୋ : ଧାରା ୩୭୦ ହଟାଇବା ସହ ଜାମ୍ମୁ-କଶ୍ମୀରର ପୁନର୍ଗଠନ ନେଇ କ୍ଷୁବ୍ଧ ଥିବା ପାକିସ୍ତାନ ବିଶ୍ବ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଉଦ୍ୟମ ଚଳାଇଥିଲେ ମଧ୍ୟ ଏହାକୁ କେବଳ ନିରାଶାର ସାମନା କରିବାକୁ ପଡ଼ିଛି। ଆମେରିକା ଏବଂ ଜାତିସଂଘ ଏହି ମାମଲାରେ ହସ୍ତକ୍ଷେପ କରରିବାକୁ ମନା କରିଦେଇଥିବା ବେଳେ ପାକିସ୍ତାନର ସାଥୀ ଚୀନ ଧରାଛୁଆଁ ଦେଉନି। ଏହାକୁ ନେଇ ପାକିସ୍ତାନ ଚିନ୍ତାରେ ଥିବା ବେଳେ ରୁଷିଆ ଆଜି ଭାରତକୁ ସମର୍ଥନ ଜଣାଇଛି। ଜମ୍ମୁ-କଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରିବା ସହ ଭାରତ ତା’ର ସମ୍ବିଧାନ ଆଧାରରେ ନେଇଥିବା ନିଷ୍ପତ୍ତି ଯଥାର୍ଥ ବୋଲି କହିଛି। ଫଳରେ ଏହି ମାମଲାରେ ରୁଷିଆଠାରୁ ସମର୍ଥନ ଆଶା ରଖିଥିବା ପାକିସ୍ତାନକୁ ଆଜି ଝଟ୍କା ଲାଗିଛି। ଜମ୍ମୁ-କଶ୍ମୀରର ପୁନର୍ଗଠନ ନେଇ ଭାରତ ସରକାର ସମ୍ବିଧାନ ଅନୁସାରେ ନିଷ୍ପତ୍ତି ନେଇଥିବାରୁ ଏଥିରେ ରୁଷିଆ ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଉଭୟ ରାଷ୍ଟ୍ର ଦ୍ବିପାକ୍ଷିକ ବୁଝାମଣା ନୀତିରେ କଶ୍ମୀର ସମସ୍ୟାର ସମାଧାନ କରିବା ପାଇଁ ରୁଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଚୀନ୍ ମଧ୍ୟ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ଧାରା ୩୭୦ ହଟାଯିବା ମାମଲାରେ ହସ୍ତକ୍ଷେପ କରିବ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଥିଲା। ବିଚଳିତ ପାକିସ୍ତାନ ଏବେ ଭାରତ ବିରୋଧରେ ବିଷୋଦ୍ଗାର ଜାରି ରଖିବା ସହ ଧାରା ୩୭୦ ହଟାଯିବା ମାମଲାରେ ବିଶ୍ବ ସମୁଦାୟର ସମର୍ଥନ ହାସଲ ପାଇଁ ପ୍ରୟାସ କରିଥିଲା। ତେବେ କୌଣସି ଗୋଟିଏ ବି ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ ଦେଇନାହାନ୍ତି। କଶ୍ମୀରକୁ ନେଇ ପାକିସ୍ତାନ ଗତକାଲି ଚୀନ୍ର ଶରଣ ପଶିଥିଲା। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସି ବେଜିଂ ଗସ୍ତ କରି କଶ୍ମୀର ପ୍ରସଙ୍ଗରେ ମତ ରଖିଥିଲେ। ତେବେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୱି ଆଜି ପାକ୍ ବିଦେଶ ମନ୍ତ୍ରୀଙ୍କୁ କହିଥିଲେ ଯେ ଦ୍ବିପାକ୍ଷିକ ବୁଝାମଣାରେ ହିଁ କଶ୍ମୀର ସମସ୍ୟାର ସମାଧାନ ହେବା ଆବଶ୍ୟକ। ସିମ୍ଲା ଚୁକ୍ତି ଏବଂ ଜାତିସଂଘ ପ୍ରସ୍ତାବ ଆଧାରରେ ଉଭୟ ରାଷ୍ଟ୍ର ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ଦିଗରେ ଆଗକୁ ବଢ଼ିବା ଉଚିତ।
ଆମେରିକା ମଧ୍ୟ ପ୍ରଥମରୁ ପାକିସ୍ତାନକୁ ଏହି ମାମଲାରେ ତାଗିଦ କରି କଶ୍ମୀରକୁ ନେଇ ଭାରତର ନୀତିରେ କୌଣସି ପରବର୍ତ୍ତନ ହୋଇନାହିଁ ଏବଂ ସାମ୍ବିଧାନିକ ସ୍ଥିତିରେ ପରିବର୍ତ୍ତନ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଜଣାଇ ଦେଇଥିଲା। ପାକିସ୍ତାନକୁ ଗତକାଲି ଜାତିସଂଘରୁ ମଧ୍ୟ ଏକ ବଡ଼ ଝଟ୍କା ମିଳିଥିଲା। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗଟ୍ରେସ କଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଉଭୟ ଭାରତ ଏବଂ ପାକିସ୍ତାନ ୧୯୭୨ ସିମ୍ଲା ଚୁକ୍ତି ଆଧାରରେ ବିବାଦର ସମାଧାନ କରନ୍ତୁ ବୋଲି ସେ କହିଥିଲେ। ଜମ୍ମୁ କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ପାକିସ୍ତାନ ଜାତିସଂଘ ମହାସଚିବଙ୍କୁ ଅନୁରୋଧ କରିଥିଲା। ପ୍ରସ୍ତାବ ପ୍ରତ୍ୟାଖ୍ୟାତ ହେବାପରେ ପାକିସ୍ତାନ ଏବେ ଧାରା ୩୭୦ ହଟାଯିବା ମାମଲାକୁ ଜାତିସଂଘରେ ଯେନତେନ ପ୍ରକାରେ ବିବାଦୀୟ ପ୍ରସଙ୍ଗ କରିବାକୁ ଯୋଜନା କରିଛି। ତେବେ ଏହାର ମୁକାବିଲା ପାଇଁ ମଧ୍ୟ ଭାରତ ସମସ୍ତ ପ୍ରସ୍ତୁତି କରିଛି। ଭାରତ କଶ୍ମୀର ପ୍ରସଙ୍ଗରେ ଜାତିସଂଘର ୫ ସ୍ଥାୟୀ ସଦସ୍ୟ ଏବଂ ୧୦ ଅସ୍ଥାୟୀ ସଦସ୍ୟଙ୍କୁ ନିଜର ନୀତି ଏବଂ ସ୍ଥିତି ସ୍ପଷ୍ଟ କରିଦେଇଛି। ପୂର୍ବ ଭଳି ଏହି ପ୍ରସଙ୍ଗରେ ଭାରତ ସପକ୍ଷରେ ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି।
from ଦେଶ- ବିଦେଶ – Sambad https://ift.tt/2MdH9lu