
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ସମ୍ବିଧାନର ଧାରା ୩୭୦ ହଟାଇବା ପାଇଁ ତାଙ୍କ ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଛନ୍ତି। ଜମ୍ମୁ କଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ, ପରିବାରବାଦ ଏବଂ ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ବ୍ୟତୀତ ଏହି ଧାରା ୩୭୦ ଏବଂ ୩୫-ଏ ଆଉ କିଛି ଦେଇନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିଛି ଲୋକଙ୍କୁ ଦେଶ ବିରୋଧରେ ମତାଇବା ପାଇଁ ପାକିସ୍ତାନ ଏହି ଦୁଇ ଧାରାକୁ ଅସ୍ତ୍ର ଭଳି ଉପଯୋଗ କରୁଥିଲା। ଏବେ ଏହାର ପରିସମାପ୍ତି ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ଆମେ ସମସ୍ତେ ମିଳିତ ଭାବେ ଦେଶ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛେ ଯାହାକି ଜମ୍ମୁ କଶ୍ମୀର ଏବଂ ଲଦାଖ୍ର ଭାଇ ଭଉଣୀମାନଙ୍କ ବିକାଶରେ ରହିଥିବା ସବୁଠାରୁ ବଡ଼ ପ୍ରତିବନ୍ଧକ ଦୂର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଶ୍ମୀରକୁ ନେଇ ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର, ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ ଏବଂ କୋଟି କୋଟି ଦେଶବାସୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏବେ ସାକାର ହୋଇଛି । ଏବେ ଦେଶର ସମସ୍ତ ନାଗରିକଙ୍କ ଅଧିକାର ଏବଂ ଦାୟିତ୍ବ ସମାନ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, କିଛି କଥା ଏଭଳି ରହିଛି ଯାହା ସମୟର ଗତି ସହିତ ଏଭଳି ସ୍ଥିତିରେ ପହଞ୍ଚି ଯାଏ, ଯାହାକୁ ସ୍ଥାୟୀ ବୋଲି ଅନେକ ଧରି ନେଇଥାନ୍ତି। ଧାରା ୩୭୦କୁ ନେଇ ମଧ୍ୟ ଏଭଳି ଭାବନା ସୃଷ୍ଟି ହୋଇଥିଲା। ଏହି ଧାରା ଦ୍ବାରା ଜମ୍ମୁ କଶ୍ମୀର ଏବଂ ଲଦାଖବାସୀଙ୍କ ଯେଉଁ କ୍ଷତି ହେଉଥିଲା ତାହାକୁ ନେଇ ଚର୍ଚ୍ଚା ହେଉନଥିଲା। ଏବେ ଏହି ଧାରାର ପରିସମାପ୍ତି ସହିତ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବ। କଶ୍ମୀର ଏବଂ ଲଦାଖରେ ସମସ୍ତ ଖାଲି ଥିବା ସରକାରୀ ପଦବିରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସ୍ଥାନୀୟ ଯୁବକକୁ କର୍ମନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ମିଳିବ। ସରକାରୀ ଉଦ୍ୟୋଗ ଏବଂ ବଡ଼ ଘରୋଇ ଉଦ୍ୟୋଗଗୁଡ଼ିକ ସେଠାରେ କର୍ମନିଯୁକ୍ତିର ବିପୁଳ ସୁଯୋଗ ସୃଷ୍ଟି କରିବେ। ଏହା ବ୍ୟତୀତ ସେନା ଏବଂ ଅର୍ଦ୍ଧସାମରିକ ବାହିନୀରେ ସ୍ଥାନୀୟ ଯୁବକଙ୍କ ଭର୍ତ୍ତି ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। ଅନ୍ୟ କେନ୍ଦ୍ର ଶାସିତ ଅଂଚଳ ଭଳି ଜମ୍ମୁ କଶ୍ମୀରର କର୍ମଚାରୀଙ୍କୁ ମଧ୍ୟ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ ଏବଂ ଜମ୍ମୁ କଶ୍ମୀର ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇବ। ଜମ୍ମୁ କଶ୍ମୀର ଏବଂ ଲଦାଖ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଅଧିକ ଆର୍ଥିକ ସହଯୋଗ, ମୁଖ୍ୟସ୍ରୋତର ସମସ୍ତ ସୁବିଧା ସୁଯୋଗ ହାସଲ କରି ଆଗକୁ ବଢ଼ିବ। ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଆଇନ ଦେଶର ଏହି ଅଂଚଳରେ ପୂର୍ବରୁ ଲାଗୁ ହେଉନଥିଲା। ଏବେ ଏହି ପ୍ରତିବନ୍ଧକ ହଟିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଧାରା ୩୭୦ ନେଇ ସରକାରଙ୍କ ନିଷ୍ପତ୍ତିକୁ କିଛି ଲୋକ ସ୍ବାଗତ କରୁଥିବା ବେଳେ କିଛି ଲୋକ ଏହାର ସମାଲୋଚନା କରିଛନ୍ତି। ଲୋକଙ୍କ ସମର୍ଥନ ଏବଂ ବିରୋଧକୁ ମୁଁ ସମ୍ମାନ ଦେଉଛି। ଦେଶର ବଡ଼ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମକୁ କାର୍ଯ୍ୟ କରିବାକୁ ହେବ। ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦର କାୟାବିସ୍ତାର ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର ବିରୋଧରେ ଜମ୍ମୁ କଶ୍ମୀରର ଦେଶପ୍ରେମୀ ନାଗରିକଙ୍କ ପ୍ରୟାସକୁ ଆମେ ଭୁଲିଯିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜମ୍ମୁ କଶ୍ମୀରରେ ଆଗକୁ ଶାନ୍ତିପୂର୍ଣ୍ଣ ଇଦ୍ ପାଳନ ପାଇଁ ସରକାର ଯତ୍ନର ସହିତ ପଦକ୍ଷେପ ନେଉଛନ୍ତି । ଇଦ୍ ମନାଇବାକୁ ଜମ୍ମୁ କଶ୍ମୀର ଫେରିବାକୁ ଚାହୁଥିବା ସାଥୀମାନଙ୍କୁ ସରକାର ସମସ୍ତ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବା ଆମେ ସମସ୍ତେ ଚାହୁଛେ। ଏଠାରେ ନୂଆ ସରକାର ଗଠନ କରିବା ପାଇଁ, ପ୍ରତିନିଧି ଚୟନର ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ସଂପୂର୍ଣ୍ଣ ପାରଦର୍ଶିତାର ସହ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମେ ପଂଚାୟତ ନିର୍ବାଚନକୁ ପାରଦର୍ଶିତାର ସହ ସଂପନ୍ନ କରିଛୁ ଏବଂ ବିଧାନସଭାକୁ ମଧ୍ୟ ସେଭଳି କରାଇବୁ ବୋଲି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆଶ୍ବସ୍ତ କରିଥିଲେ। ଦୀର୍ଘ ଦଶନ୍ଧିର ପାରିବାରିକ ଶାସନ ଜମ୍ମୁ କଶ୍ମୀରର ଯୁବଗୋଷ୍ଠୀକୁ ବିକାଶରେ ସାମିଲ ହେବାକୁ ସୁଯୋଗ ଦେଇନାହିଁ। ଏବେ କଶ୍ମୀରର ଯୁବ ଶକ୍ତି ନିଜ ହାତରେ ନିଜ ମାଟିର ବିକାଶ କରି ଆଗକୁ ବଢ଼ିବା ନେଇ ପର୍ଯ୍ୟାପ୍ତ ସୁଯୋଗ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
from ଦେଶ- ବିଦେଶ – Sambad https://ift.tt/2MNJTWs