ତାଳଚେରରେ ପୁଣି ମାଟି ଦବିଲା, ୮ ଫୁଟ୍‌ ତଳକୁ ଧସିଗଲା କୂଅ

zisanmohammad
0

ତାଳଚେର : କିଛି ଦିନର ବ୍ୟବଧାନ ପରେ ତାଳଚେର ସହରରେ ପୁଣି ମାଟି ଦବିଛି। ଗତ ରାତିରେ ତାଳଚେର ପୌରାଞ୍ଚଳ ୧୩ ନମ୍ବର ୱାର୍ଡ଼ର ଜନଗହଳିପୂର୍ଣ୍ଣ ବାବୁଲାଲ କଲୋନି ଅଞ୍ଚଳରେ ଏକ ପୋତା କୂଅର ମାଟି ତଳକୁ ଦବିଯାଇଛି। ପ୍ରକାଶଥାଉକି, ଗତ ଡିସେମ୍ବର ୫ ତାରିଖ ରାତିରେ ଅନୁରୂପ ଭାବେ ତାଳଚେର ଟାଉନ ଥାନା ସାମନାରେ ଜଣେ ମହିଳା ଓ ତାଙ୍କ ପଡ଼ୋଶୀଙ୍କ ଘର ଭିତରେ ମାଟି ଦବିଯିବାରୁ ଦୁଇଟି ବଡ଼ ଗର୍ତ୍ତ ହୋଇ ଯାଇଥିଲା। ଏହାକୁ କେନ୍ଦ୍ର କରି ସେ ସମୟରେ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ତାଳଚେର ବନ୍ଦ ପାଳନ କରି ଏମସିଏଲ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସୂଚନା ଅନୁଯାୟୀ, ବାବୁଲାଲ କଲୋନି ପଛପାଖ ସାରଥୀ ନଗରରେ ବିହାର ଅଞ୍ଚଳର ଗୁରୁମୁଖ ସିଂ ଘର କରି ପରିବାର ସହ ରହୁଛନ୍ତି। ତାଙ୍କ ଘର ପଛ ପାଖରେ ପୂର୍ବରୁ ଥିବା ଏକ କୂଅକୁ ପୋତି ଦିଆଯାଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ଘର ପଛପାଖରେ ଖୁବ୍‌ ଜୋରରେ ଶବ୍ଦ ହୋଇଥିଲା। ଶ୍ରୀ ସିଂଙ୍କ ପରିବାର ଲୋକେ ଯାଇ ଦେଖିଲା ବେଳକୁ କୂଅର ମାଟି ଦବି ଯାଇଛି। ପ୍ରାୟ ୧୦ ଫୁଟ ଓସାର ଓ ୮ ଫୁଟ ଲମ୍ବ ବ୍ୟାସାର୍ଦ୍ଧ ମାଟି ତଳକୁ ଦବି ଯାଇଥିବା ଜଣାପଡ଼ିଛି। ସହକାରୀ ଜିଲ୍ଲାପାଳ ଗୌରୀ ନାଏକ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ ପରେ ଖଣି କର୍ତୃପକ୍ଷ ପହଞ୍ଚି ମାଟି ଦବିଥିବା ସ୍ଥାନ ତନ୍ନ ତନ୍ନ ପରୀକ୍ଷା କରିଛନ୍ତି। ଏହାର କାରଣ ଜାଣିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ମାଟି ଦବିବାର ନିର୍ଦିଷ୍ଟ କାରଣ ଆସନ୍ତା ୨୪ ଘଣ୍ଟା ପରେ ଜଣାପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।



from ଜିଲ୍ଲା – Sambad https://ift.tt/2Z4OauV

Post a Comment

0Comments
Post a Comment (0)