ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ପ୍ରଥମ ସିନେମା ହୋଇଥିଲା ତାଙ୍କ ନିର୍ଦ୍ଦେଶିତ ତୃତୀୟ ଚଳଚ୍ଚିତ୍ର

zisanmohammad
0

ଭୁବନେଶ୍ବର: ଓଡ଼ିଆ ସିନେମା ଜଗତର ଜଣେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକ ଥିଲେ ସ୍ୱର୍ଗତ ହର ପଟ୍ଟନାୟକ। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନା ସଂସାର’ ଚଳଚ୍ଚିତ୍ରରୁ ଅଭିନେତାଭାବେ ବଡ଼ କ୍ୟାରିଅର୍‌ ଆରମ୍ଭ କରିଥିଲେ। ହରଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ହେଲା ‘ଦଇବ ଦଉଡ଼ି’। କିନ୍ତୁ ଆପଣମାନେ କ’ଣ ଜାଣନ୍ତି ଯେ ପ୍ରକୃତରେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ଆଗରୁ ବେଶ୍‌ କିଛି ବର୍ଷ ତଳେ ତାଙ୍କୁ ଅନ୍ୟ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା।

୧୯୮୩ରେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁବର୍ଣ୍ଣସୀତା’ ମୁକ୍ତିଲାଭ କରିଥିଲା। ଏହାର କାହାଣୀକାର ଥିଲେ ଜଣାଶୁଣା ଔପନ୍ୟାସିକା ବୀଣା ମହାପାତ୍ର। ‘ସୁବର୍ଣ୍ଣସୀତା’ ମୁକ୍ତିଲାଭ କରିବା ପରେ ଔପନ୍ୟାସିକା ବୀଣା ମହାପାତ୍ର ତାଙ୍କର ଅନ୍ୟ ଏକ ଉପନ୍ୟାସକୁ ଚଳଚ୍ଚିତ୍ର ରୂପ ଦେବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୀର୍ଷକ ରଖାଯାଇଥିଲା ‘ଶିଖା’।

‘ଶିଖା’ର ନିର୍ଦ୍ଦେଶନା ଦେବାକୁ ହର ପଟ୍ଟନାୟକ ଚୁକ୍ତିବଦ୍ଧ ହୋଇଥିଲେ। ସେହି ସମୟରେ ହର ପଟ୍ଟନାୟକ  ଶିଶିର ମିଶ୍ରଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ।  ‘ଶିଖା’ର ଚିତ୍ରନାଟ୍ୟ ପ୍ରସ୍ତୁତି କରିଥିଲେ ନିଜେ ହର। ଏଥିରେ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ମିଳିଥିଲା ମୁସୀରଙ୍କୁ। ମୁସୀରଙ୍କର ପ୍ରଥମ ଓଡ଼ିଆ ସିନେମା ‘ସମର ସେଲିମ୍‌ ସାଇମନ୍‌’ର ଗୀତ ସୁପରହିଟ୍‌ ହୋଇଥିଲା। ତା’ପରେ ‘ଅପରିଚିତା’ ସିନେମାରେ ବି ଶ୍ରୁତିମଧୁର ସଙ୍ଗୀତ ତିଆରି କରିଥିଲେ ସେ। ‘ଶିଖା’ରେ ମୁଖ୍ୟ ଭୂମିକାରେ ସେ ସମୟରେ ଟପ୍‌ ନାୟିକା ମହାଶ୍ୱେତାଙ୍କୁ ନିଆଯିବା ଏକ ପ୍ରକାରର ସ୍ଥିର ହୋଇଥିଲା।

ଏହି ଫିଲ୍ମର ପ୍ରାରମ୍ଭିକ କାର୍ଯ୍ୟ ଶେଷ ହେବା ପରେ ପ୍ରଯୋଜକ କିନ୍ତୁ ଏହାର ନିର୍ମାଣ କାର୍ଯ୍ୟରୁ ଓହରି ଯାଇଥିଲେ। ଫଳତଃ ‘ଶିଖା’ର ସୁଟିଂ ଆରମ୍ଭ ହୋଇ ପାରି ନଥିଲା। ହର କିନ୍ତୁ ହାର୍‌ ମାନି ନଥିଲେ। ସେ ୧୯୯୦ ମସିହାରେ ‘ଦଇବ ଦଉଡି’ ଓ ‘ଚକାଡୋଳା କରୁଚି ଲୀଳା’ ଶୀର୍ଷକରେ ଦୁଇଟି ସିନେମାର ନିର୍ଦ୍ଦେଶନା ଦେବାପରେ ଓଲିଉଡରେ ଚର୍ଚ୍ଚିତ ନିର୍ଦ୍ଦେଶକର ମାନ୍ୟତା ଲାଭ କରିଥିଲେ।

ସୁବାସ ରାଉତ

ଏହାପରେ ପ୍ରଯୋଜକ ସୁବାସ ରାଉତ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଲେ। ହର ତାଙ୍କୁ ‘ଶିଖା’ ଫିଲ୍ମର କାହାଣୀ ଶୁଣାଇଲେ। ପ୍ରଯୋଜକଙ୍କୁ ତାହା ଭଲ ଲାଗିଲା।  ବାସ୍‌ ତା’ପରେ ହରଙ୍କ ପ୍ରଥମ ସିନେମା ‘ଶିଖା’ର ସ୍କ୍ରିପ୍ଟ ପୁଣି ଥରେ ପ୍ରସ୍ତୁତି ହେଲା। ଏହାର  ସଂଳାପ ଲେଖିଲେ ଡ଼ ସୁବୋଧ ପଟ୍ଟନାୟକ। ଏଥର କିନ୍ତୁ ଫିଲ୍ମର ଟାଇଟଲ୍‌ ବଦଳିଯାଇ ଥିଲା। ‘ଶିଖା’ ପରିବର୍ତ୍ତେ ଏହି ନୂଆ ସିନେମାର ଶୀର୍ଷକ ହେଲା ‘ଭାଗ୍ୟ ହାତେ ଡୋରୀ’। ଏଥର ସଙ୍ଗୀତ ନିର୍ଦ୍ଦେଶକ ବି ବଦଳିଲେ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ମିଳିଥିଲା ବିକାଶ ଦାସଙ୍କୁ।ସଂଯୋଗବଶତଃ ‘ଭାଗ୍ୟ ହାତେ ଡୋରୀ’ହେଲା ବିକାଶ ଦାସଙ୍କର ପ୍ରଥମ ସିନେମା। ତେବେ  ମହାଶ୍ୱେତାଙ୍କୁ କିନ୍ତୁ ମୁଖ୍ୟ ଭୂମିକାରେ ନିଆଯାଇଥିଲା।

Image result for bhagya hate dori

୧୯୯୩ରେ ମୁକ୍ତିଲାଭ କରିଥିବା ‘ଭାଗ୍ୟ ହାତେ ଡୋରୀ’ ହେଲା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତୃତୀୟ ଚଳଚ୍ଚିତ୍ର। ଏହି ସିନେମାରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମହାଶ୍ୱେତା, ଋତୁପର୍ଣ୍ଣା ସେନଗୁପ୍ତା, ବ୍ୟୋମକେଶ ତ୍ରିପାଠୀ ଓ ହର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ସୁପରହିଟ୍‌ ବି ହୋଇଥିଲା ଓ ତା’ପରେ ପ୍ରଯୋଜକ ସୁବାସ ରାଉତ ସୁନା ପଞ୍ଜୁରି, ଲକ୍ଷ୍ମଣରେଖା, ଜୀବନସାଥୀ, ରାମଲକ୍ଷ୍ମଣ, ସିଂହବାହିନୀ ଏବଂ ସନ୍ତାନ ଆଦି କେତୋଟି ଓଡ଼ିଆ ଛବି ନିର୍ମାଣ କରିଥିଲେ।

 

 

 



from ମନୋରଞ୍ଜନ – Sambad https://ift.tt/2KwFLqQ

Post a Comment

0Comments
Post a Comment (0)