ବାହୁଡ଼ିଲେ ତିନି ଠାକୁର : ଶ୍ରୀନଅରରେ ଲକ୍ଷ୍ମୀ-ନାରାୟଣ ଭେଟ

zisanmohammad
0

ପୁରୀ : ରାଜନଅରଠାରେ ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ନୀଳାଦ୍ରି ବିଜେ ପୂର୍ବରୁ ନିଜ ଅଧରଲାଗି ଆଜ୍ଞାମାଳ ଦେଇ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଆଜି ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜି ଅପରାହ୍‌ଣ ୫ଟା ୧୦ ମିନିଟ୍ ସମୟରେ ରାଜନଅରଠାରେ ନନ୍ଦିଘୋଷ ରଥ ଅଟକିବା ପରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ବିବାହ ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ନ ଜଣାଇ ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଯାଇଥିଲେ। ଏହା ଜାଣି ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଯାଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅପମାନରେ ଫେରି ଆସିଥିଲେ। ଏଥିପାଇଁ ମା’ ଅଭିମାନ କରିଛନ୍ତି। ଆଉ ଏହି ମାନଭଞ୍ଜନ ପାଇଁ ଆଜି ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି। ୯ ଦିନ ହେଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ଠାକୁରାଣୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମାନଭଞ୍ଜନର ମଧ୍ୟସ୍ଥି ସାଜିଛନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ରାଜନଅରଠାରେ ମା’ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପୁନର୍ବାର ଶ୍ରୀମନ୍ଦିର ଫେରିଯାଇଛନ୍ତି। ଶାସ୍ତ୍ର ଅନୁଯାୟୀ, ପବିତ୍ର ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ(ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ବୁଲିବାକୁ ଭାଇଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଚାଲି ଯାଇଥିଲେ। ଏହି ସମୟରେ ନବବିବାହିତ ମହାଲକ୍ଷ୍ମୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନଥିଲା। ନବବିବାହିତା ମା’ ଲକ୍ଷ୍ମୀ ୫ ଦିନର ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ହେରାପଞ୍ଜମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଥିଲେ। କିନ୍ତୁ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବାବେଳେ ଦ୍ବାର ବନ୍ଦ ହୋଇଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ନପାଇ ମା’ ଲକ୍ଷ୍ମୀ ଠାକୁରାଣୀ ନାକଚଣା ଦ୍ୱାର ଦେଇ ଅପମାନରେ ଫେରି ‌ଆସିବା ସହ ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଥିଲେ। ସେବେଠୁ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଉପରେ ମାନ କରିଛନ୍ତି।



from ଜିଲ୍ଲା – Sambad https://ift.tt/2xNiuv2

Post a Comment

0Comments
Post a Comment (0)