ଆଜିଠାରୁ ସ୍ବତନ୍ତ୍ର ଭୋଟର ତାଲିକା ଅଭିଯାନ

zisanmohammad
0

ଯାଜପୁରଟାଉନ/ସଦର: ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ଜିଲ୍ଲା ସୂଚନା ‌ଲୋକ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ରହି ଜିଲ୍ଲାରେ ନିର୍ବାଚନକୁ କିପରି ତ୍ରୁଟିପୂର୍ଣ୍ଣ ଭାବେ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ପାଖରେ ଭୋଟର ପରିଚୟ ରହିଥିବା ସତ୍ବେ ଯଦି ଭୋଟର ତାଲିକାରେ ନାମ ନ ଥିବ ତେବେ ମତାଧିକାର ସାବ୍ୟସ୍ତ କରିପାରିବେ ନାହିଁ । ଏଥିପାଇଁ ଆସନ୍ତା ୨୩ ଓ ୨୪ ତାରିଖରେ ସ୍ୱତନ୍ତ୍ର ଭୋଟର ତାଲିକା ଅଭିଯାନ କରାଯାଉଛି। ତେଣୁ ପ୍ରତ୍ୟେକ ଭୋଟର ନିଜ ନିଜ ମତଦାନ କେନ୍ଦ୍ରରେ ରହିଥିବା ଭୋଟର ତାଲିକାକୁ ଅନୁଧ୍ୟାନ କରିବା ସହ ଯଦି ଭୋଟର ତାଲିକାରେ ନିଜ ନାମ ନାହିଁ, ତେବେ ତୁରନ୍ତ ବିଏଲ୍‌ଓଙ୍କ ମାଧ୍ୟମରେ ଆବେଦନ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଛନ୍ତି। ସମସ୍ତ ଯୋଗ୍ୟ ଭୋଟରମାନେ ମତଦାନ କରିବା ଉଚିତ ବୋଲି ଜିଲ୍ଲାପାଳ କହିଥିଲେ । ନୂଆ ଭୋଟର ତାଲିକା ସଂପର୍କରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ଅଭିଯାନ ଦିନ ମାନଙ୍କରେ ସଂପୃକ୍ତ ବୁଥର ବି.ଏଲ୍.ଓ. ତାହାକୁ ପଠନ ଓ ପ୍ରଦର୍ଶନ କରିବେ ।

ସେହିପରି ୨୦୧୯ ଜାନୁଆରି ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବା ତା ଠାରୁ ଅଧିକ ହୋଇଛି ଅଥଚ ସେମାନେ ଭୋଟର ତାଲିକାରେ ସାମିଲ ହୋଇ ନାହାଁନ୍ତି ସେମାନେ ମଧ୍ୟ ସେମାନଙ୍କ ଜନ୍ମ ତାରିଖର ପ୍ରମାଣ ପତ୍ର ଓ ପଂଟୋ ସଂପୃକ୍ତ ବିଏଲ୍ଓଙ୍କୁ ପ୍ରଦାନ କରି ତାଲିକାରେ ସାମିଲ ହୋଇପାରିବେ । ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ବା ସେମାନଙ୍କର ଏଜେଣ୍ଟ ବୁଥ୍ ମାନଙ୍କରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। ମିଳିଥିବା ଫର୍ମଗୁଡିକୁ ମାର୍ଚ୍ଚ ୭ ତାରିଖ ସୁଦ୍ଧା ସଂପୃକ୍ତ ବିଏଲ୍‌ଓ ଯାଞ୍ଚ କରିବା ପରେ ଏହାର ସମାଧାନ କରାଯାଇ ଭୋଟର ତାଲିକାଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଦିବ୍ୟାଙ୍ଗ ଭୋଟର ମାନଙ୍କୁ ବୁଥ୍‌ ଅନୁଯାୟୀ ଚିହ୍ନଟ କରାଯାଉଛି। ସେମାନଙ୍କୁ ମତଦାନ କେନ୍ଦ୍ରକୁ ନେବା ଆଣିବା ପାଇଁ ସୁଗମ୍ୟ ନାମକ ଏକ ଯୋଜନା ମାଧ୍ୟମରେ ଗାଡିର ବ୍ୟବସ୍ଥା କରାଯାଇଛି। ଗାଡି ଠାରୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ହୁଇଲ ଚେୟାରର ବ୍ୟବସ୍ଥା ମଧ୍ୟ କରାଯିବାକୁ ସ୍ଥିର ହୋଇଛି। ଏହାଦ୍ୱାରା ଯେଊଁ ଦିବ୍ୟାଙ୍ଗମାନେ ମତଦାନରୁ ବଞ୍ଚିତ ହେଊଥିଲେ ସେମାନେ ମତାଧିକାର ସାବ୍ୟସ୍ତ କରିପାରିବେ । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୧୪ ଲକ୍ଷ ୪୩ ହଜାର ୫୭୭ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୬ ହଜାର ୨୩୦, ମହିଳାଙ୍କ ସଂଖ୍ୟା ୬ ଲକ୍ଷ ୮୭ ହଜାର ୨୬୫ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୮୨ । ପ୍ରତି ହଜାର ପୁରୁଷ ଭୋଟର ତୁଳନାରେ ୯୦୯ ମହିଳା ଭୋଟର ରହିଛନ୍ତି। ୨୦୧୪ ନିର୍ବାଚନରେ ମୋଟ ୧୩ ଲକ୍ଷ ୭୪୫ ଜଣ ଭୋଟର ରହିଥିବା ବେଳେ ପୁରୁଷ ମହିଳା ଅନୁପାତ ଥିବା ୮୭୪ ଥିଲା। ଭୋଟର ତାଲିକାରେ ୯୮.୮୬ ପ୍ରତିଶତଙ୍କ ଫଟୋ ଲାଗିଥିବା ବେଳେ ୧୬୪୭୨ ଜଣଙ୍କର ଫଟୋ ଲାଗିନାହିଁ । ସେହିପରି ୯୯.୧୭ପ୍ରତିଶତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି ବୈଠକରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନିର୍ବାଚନ ବିଭାଗର ମୁଖ୍ୟ କିରାଣି ବିଜୟ ଦାସ, ସୁବାସ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।



from ଜିଲ୍ଲା – Sambad https://ift.tt/2EaIbsm

Post a Comment

0Comments
Post a Comment (0)