
ଭଦ୍ରକ, (ହରିହର ନାୟକ): ଧୀରେ ଧୀରେ ଉଷ୍ମ ହେଲାଣି ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର। ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ଟିକେ ଅଧିକ। କାରଣ ଏଠାରେ ଏବେ ବିଜେଡି ଦଳର ପ୍ରତିନିଧିତ୍ବ କରୁଛନ୍ତି ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ପ୍ରଫୁଲ୍ଲ ବାବୁ ଏଇ ନିର୍ବାଚନ ମଣ୍ଡଳୀରୁ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ପୁଣି ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଦଳରୁ ଏଇ ଆସନରୁ ଯୁବନେତା ଉଦୟ ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ନାଁ ବି ରହିଛି ଚର୍ଚ୍ଚାରେ। ବିଜେଡି ସୁପ୍ରିମୋ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ଏଇ ଚାରି ନେତାଙ୍କ ମଧ୍ୟରୁ ଏଥର କାହାକୁ ଦଳୀୟ ପ୍ରାର୍ଥୀ କରୁଛନ୍ତି ତାହାକୁ କର୍ମୀ ଅପେକ୍ଷା କରୁଛନ୍ତି।
କଂଗ୍ରେସ ଦଳ ମଧ୍ୟ ଏହି ଆସନକୁ େନଇ ଆଶାବାଦୀ ଓ ଉତ୍ସାହିତ। ୨୦୧୪ ନିର୍ବାଚନରେ କଂଗ୍ରେସର ସୁବ୍ରତ ଦାସ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ହେଲେ ଏଥର ଭଣ୍ଡାରିପୋଖରୀ ଆସନରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ କାଳେ ପ୍ରାର୍ଥୀ ହେବେ ବୋଲି କର୍ମୀ ମହଲରେ ବେଶ୍ କିଛିଦିନ ହେଲା ଚର୍ଚ୍ଚା ଚାଲିଛି। ନିରଂଜନ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀକୁ ବିଭିନ୍ନ କାର୍ଯ୍ୟକ୍ରମରେ ଆସୁଥିବା ଯୋଗୁଁ କର୍ମୀଙ୍କ ଏହି ଚର୍ଚ୍ଚାକୁ ଆଧାର ମିଳୁଛି। ତେବେ ନିରଂଜନ ଏଠାରୁ ପ୍ରାର୍ଥୀ ହେବେ କି ନାହିଁ ସେ ବିଷୟରେ ସ୍ପଷ୍ଟ ମତ ରଖି ନାହାନ୍ତି।
ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ଦାସ, କଂଗ୍ରେସ ସଂପାଦିକା ସୁଜାତା ଜେନା, ଦଳର ରାଜ୍ୟ ମୁଖ୍ୟ ମୁଖପାତ୍ର ସତ୍ୟ ପ୍ରକାଶ ନାୟକଙ୍କ ନାଁକୁ ନେଇ ବି ଆଲୋଚନା ହେଉଛି। ଯଦି ଶ୍ରୀ ପଟ୍ଟନାୟକ ପ୍ରାର୍ଥୀ ନ ହୁଅନ୍ତି, ତେବେ ଦଳ ସତ୍ୟପ୍ରକାଶଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ବଡ କଥା ହେଉଛି ଦଳର ଆଶାୟୀ ପ୍ରାର୍ଥୀ ସୁବ୍ରତ ଦାସ ମଧ୍ୟ ନିଜେ ମୁହଁ ଖୋଲି କହିଲେଣି, ଯଦି ଭଣ୍ଡାରିପୋଖରୀରୁ ନିରଂଜନ ବାବୁ ଦଳୀୟ ପ୍ରାର୍ଥୀ ହୁଅନ୍ତି , ତେବେ ତାଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିବ। ତେବେ କିଏ ପ୍ରାର୍ଥୀ େହବ େସ େନଇ କର୍ମୀଙ୍କ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।
ନିର୍ବାଚନମଣ୍ଡଳୀର ତୃତୀୟ ରାଜନୈତିକ ଶକ୍ତି ଭାବେ ଉଭା ହୋଇଛି ବିଜେପି। ୨୦୧୪ରେ ଏଠାରୁ ବିଜେପିର ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ ପ୍ରାର୍ଥୀ େହାଇଥିଲେ। ଏଥର ମଧ୍ୟ ବଦ୍ରି ଏଇ ଆସନରୁ ନିର୍ବାଚନ ଲଢିବା ପାଇଁ ସଂଗଠନ ଚଳାଇ ଆସୁଛନ୍ତି।
କିନ୍ତୁ ଦଳର ନେତା ପଞ୍ଚାନନ ରାଉତଙ୍କ ନାମକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ପଞ୍ଚାନନ ଆରଏସଏସ ସଂଗଠନର ଜଣେ ପ୍ରମୁଖ ପ୍ରଚାରକ। ବିଜେପିର ଏଇ ଦୁଇନେତା ବଦ୍ରୀ ଓ ପଞ୍ଚାନନଙ୍କ ମଧ୍ୟରୁ କାହାକୁ ଦଳୀୟ ଟିକଟ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ।
୨୦୧୪ ନିର୍ବାଚନ ଫଳାଫଳ
ଦଳ ପ୍ରମୁଖ ପ୍ରାର୍ଥୀ ଭୋଟ
ବିଜେଡି ପ୍ରଫୁଲ୍ଲ ସାମଲ ୭୦,୧୭୩
କଂଗ୍ରେସ ସୁବ୍ରତକୁମାର ଦାସ ୩୬,୦୭୬
ବିଜେପି ବଦ୍ରିନାରାୟଣ ଧଳ ୨୮,୮୦୯
ସ୍ବାଧୀନ ସୁଜାତା ଜେନା ୬,୬୮୨
ସ୍ବାଧୀନ ସୁଧାକର ନନ୍ଦ ୫,୩୬୫
ସିପିଆଇ ଶୁଭେନ୍ଦ୍ରପ୍ରତାପ ମହାନ୍ତି ୩,୬୯୪
ନୋଟା …. ୫୮୫
from ରାଜନୀତି – Sambad https://ift.tt/2GZ1sjh