
ନୂଆଦିଲ୍ଲୀ : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଟେଲିକମ୍ ବଜାରରେ ପ୍ରବେଶ କରିବା ପରେ କେବଳ ଘରୋଇ ନୁହେଁ ସରକାରୀ ମୋବାଇଲ୍ କଂପାନି ମଧ୍ୟ ପ୍ରଭାବିତ ହୋଇଛନ୍ତି। ସରକାରୀ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଅବସ୍ଥା ଖରାପ ହୋଇଗଲାଣି। ଦିନକୁ ଦିନ କ୍ଷତି ପରିମାଣ ବଢ଼ିବାରେ ଲାଗିଛି। ପରିସ୍ଥିତି ଏମିତି ହେଲାଣି ଯେ ସରକାର ଏହାକୁ ବନ୍ଦ କରିଦେଇ ପାରନ୍ତି ବୋଲି ସୂଚନା ମିଳିଲାଣି।
ଗତ ତିନି ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲିଛି। ୨୦୧୭-୧୮ରେ କଂପାନିର କ୍ଷତି ୩୧ ହଜାର୨୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକୁ ବର୍ଷ କଂପାନିର କ୍ଷତି ବଢ଼ିଚାଲିଥିବା ବେଳେ ଆୟ କମିବାରେ ଲାଗିଛି। ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି।
ବିଏସ୍ଏନ୍ଏଲ୍କୁ ନେଇ ସରକାର ଦୁଇଟି କଥା ଚିନ୍ତା କରୁଛନ୍ତି। ପ୍ରଥମେ ଏହାକୁ ବଞ୍ଚାଇବା ପାଇଁ ପ୍ରୟାସ କରାଯିବ। କଂପାନିରୁ ପୁଞ୍ଜିପ୍ରତ୍ୟାହାର କରିବା ଏବଂ ଏହାକୁ ନୂତନ ପାଣ୍ଠି ଦେବା ଉପରେ ବିଚାର କରାଯାଉଛି। ଏଥିରେ ସଫଳ ନହେଲେ ଶେଷ ବିକଳ୍ପଟି ହେଉଛି କଂପାନିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା।
କଂପାନିର ଭାଗ୍ୟକୁ ନେଇ ସିଏମ୍ଡି ଅନୁପମ୍ ଶ୍ରୀବାସ୍ତବ ଓ କେନ୍ଦ୍ର ଦୂରସଂଚାର ସଚିବ ଅରୁଣା ସୁନ୍ଦରରାଜନଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକରେ ଆଲୋଚନା ହୋଇଥିଲା। କଂପାନିର ସିଏମ୍ଡି ଶ୍ରୀବାସ୍ତବ କଂପାନିର ଆର୍ଥିକ ସ୍ଥିତି, ମୋଟ କ୍ଷତି, ରିଲାଏନ୍ସ ଜିଓ ଆସିବା ପରେ କଂପାନି କାରବାର ଉପରେ ପଡ଼ିଥିବା ପ୍ରଭାବ ଏବଂ କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ଯୋଜନା ଭଳି ତଥ୍ୟକୁ ବୈଠକରେ ଉପସ୍ଥାପନ କରିଥିଲେ। ସବୁ କିଛି ଜାଣିବା ପରେ ଶ୍ରୀମତୀ ସୁନ୍ଦରରାଜନ ବିଏସଏନ୍ଏଲ୍ କତୃର୍ପକ୍ଷକୁ କେତେକ ପରାମର୍ଶ ଦେଇଛନ୍ତି। କଂପାନିକୁ ନେଇ ସବୁ ପ୍ରକାର ବିକଳ୍ପ ଉପରେ ବିଚାର କରିବାକୁ ଏବଂ ସେ ସମ୍ପର୍କିତ ରିପୋର୍ଟ ଦେବାକୁ କଂପାନିକୁ କୁହାଯାଇଛି। କଂପାନି ବନ୍ଦ ହେଲେ କ’ଣ ସମ୍ଭାବ୍ୟ ପରିସ୍ଥିତି ସୃଷ୍ଟି ହେବ ତାହା ଜଣାଇବାକୁ ମଧ୍ୟ ବିଏସ୍ଏନ୍ଏଲ୍କୁ ସରକାର କହିଛନ୍ତି। ବିଏସଏନ୍ଏଲ୍ ପାଇଁ ମୁଖ୍ୟତଃ ତିନିଟି କଥା ବିଚାର କରାଯାଉଛି। ପ୍ରଥମଟି ହେଉଛି ପୁଞ୍ଜି ପ୍ରତ୍ୟାହାର କରିବା, ଦ୍ବିତୀୟରେ ନୂତନ ପାଣ୍ଠି ପ୍ରବେଶ କରାଇବା ଏବଂ ତୃତୀୟଟି ହେଉଛି କଂପାନିକୁ ବନ୍ଦ କରିଦେବା। କେବଳ ସେତିକି ନୁହେଁ, ବିଏସ୍ଏନ୍ଏଲ୍ର ଯେଉଁ ସବୁ କୋଠା ଏବଂ ସମ୍ପତ୍ତି ରହିଛି ତାହାକୁ ବ୍ୟବହାର କରି ପାଣ୍ଠି ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବାକୁ କଂପାନିକୁ ସରକାର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୦୦ ମସିହାରେ ବିଏସ୍ଏନ୍ଏଲ୍କୁ ସ୍ଥାପନ କରାଯାଇଥିଲା। ଲ୍ୟାଣ୍ଡ୍ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ୍ ବଜାରରେ ୬୦% ଅଂଶ ସହ ଏହା ଅନ୍ୟମାନଙ୍କ ଠାରୁ ବହୁତ ଆଗରେ ରହିଛି। କିନ୍ତୁ ମୋବାଇଲ୍ ସେବା କ୍ଷେତ୍ରରେ ଏହା ଜିଓ, ଏୟାରଟେଲ ଓ ଭୋଡାଫୋନ ସହିତ ଆଉ ପ୍ରତିଦ୍ବନ୍ଦ୍ବିତା କରିପାରୁନାହିଁ ବୋଲି କଂପାନୀର ଅଧିକାରୀ ସ୍ବୀକାର କରୁଛନ୍ତି।
ମୋବାଇଲ୍ ଫୋନ୍ କଲ୍ ବହୁତ ଶସ୍ତା ହୋଇଯିବା ପରେ ଲ୍ୟାଣ୍ଡ୍ଲାଇନ୍ ବ୍ୟବସାୟ ଏହାର ଚମକ ହରାଇଛି। ଅଧିକ ଟଙ୍କା ଦେଇ ଲୋକମାନେ ଲ୍ୟାଣ୍ଡ୍ଲାଇନ୍ ବ୍ୟବହାର କରିବାକୁ ଚାହୁଁନାହାନ୍ତି। ଶସ୍ତା କଲ୍ ଦର ଯୋଗୁ ବିଏସ୍ଏନ୍ଏଲ୍ର ଲ୍ୟାଣ୍ଡ୍ଲାଇନ୍ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି।
from ଦେଶ- ବିଦେଶ – Sambad http://bit.ly/2I8cp4e