
ମୁମ୍ବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଚାରିଆଡ଼ୁ ଘେରାବନ୍ଦୀ କରିବାକୁ ଭାରତ ଯୋଜନା କରୁଛି। ଏଥିରେ କ୍ରିକେଟ୍ କୂଟନୀତି ମଧ୍ୟ ସାମିଲ ରହିଛି। କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ଅବଶ୍ୟ ଏଥିନେଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦେଶ ଦେଇନାହାନ୍ତି। ହେଲେ ଆତଙ୍କବାଦୀ ଓ ଆତଙ୍କବାଦକୁ ନିୟମିତ ଭାବେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆଣି ପାକିସ୍ତାନକୁ ବିଶ୍ବକପ୍ରୁ ବାସନ୍ଦ କରିବାକୁ ବିସିସିଆଇ ଆଇସିସି ଉପରେ ଚାପ ପକାଇବାକୁ ପ୍ରସ୍ତୁତ ହେଉଛି। ଖବର ମୁତାବକ ଏଥିନେଇ ଏକ ଚିଠା ପ୍ରସ୍ତୁତ କରିବାକୁ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନ ସହ କ୍ରିକେଟ୍ ସଂପର୍କ ଜାରି ରଖିବା ସମ୍ଭବ ନୁହେଁ ବୋଲି ମଧ୍ୟ ବିସିସିଆଇ ପତ୍ର ଜରିଆରେ ଆଇସିସିକୁ ଜଣାଇବାକୁ ପଦକ୍ଷେପ ନେଉଥିବାର ସୂଚନା ମିଳିଛି। ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବାକୁ ହରଭଜନ ସିଂହ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ସହ ବହୁ କ୍ରିକେଟର ଦାବି କରିଛନ୍ତି। ଜୁନ୍ ୧୬ରେ ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ନଖେଳିବାକୁ ଆଉ କେତେକ ଘରୋଇ କ୍ରିକେଟ୍ ସଂଗଠନ ମଧ୍ୟ ବିସିସିଆଇକୁ ଆହ୍ବାନ କରିଛନ୍ତି। ଏପରିକି ପୁଲୱାମା ଆକ୍ରମଣକୁ ବିରୋଧ କରି ବିସିସିଆଇର ବହୁ ଅନୁବନ୍ଧିତ ସଂଘ ନିଜ ନିଜ କାର୍ଯ୍ୟାଳୟ ଏବଂ ଷ୍ଟାଡିୟମ୍ ପରିସରରେ ଲଗାଇଥିବା ପାକିସ୍ତାନ କ୍ରିକେଟରଙ୍କ ଫଟୋକୁ ଘୋଡ଼ାଇ ଦେଇଛନ୍ତି କିମ୍ବା ବାହାର କରି ଦେଇଛନ୍ତି। ତେବେ ପାକିସ୍ତାନକୁ ବିଶ୍ବକପ୍ରୁ ବାସନ୍ଦ କରିବା ଆଇସିସି କିମ୍ବା ବିସିସିଆଇ ପାଇଁ ସହଜ ହେବ ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଇସିସି ସମ୍ବିଧାନରେ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭାରତ ଚାହିଁଲେ ଅବଶ୍ୟ ଏହି ମ୍ୟାଚ୍କୁ ବର୍ଜନ କରିପାରେ। ତେବେ ଏଭଳି ସ୍ଥିତିରେ ପାକିସ୍ତାନ ଲାଭବାନ ହେବ। ମାଗଣାରେ ୨ ପଏଣ୍ଟ ପାଇବ। ସେହିଭଳି ଭାରତକୁ ଆଇସିସି ଏଥିଲାଗି ଜରିମାନା କରିବାର ମଧ୍ୟ ଆଶଙ୍କା ରହିଥିବା ସେ ମତ ପ୍ରକାଶ କରିଛନ୍ତି। ବିସିସିଆଇଠାରୁ ଏଭଳି କୌଣସି ଚିଠି ମିଳି ନଥିବା ଆଇସିସି ପରୋକ୍ଷରେ ସଙ୍କେତ ଦେଇଥିଲା ବେଳେ ମ୍ୟାଚ୍ ପୂର୍ବ ନିର୍ଧାରିତ ଦିନ ଓ ତାରିଖରେ ହେବ ବୋଲି ଆଶା ପ୍ରକାଶ କରିଛି।
ଭାରତକୁ ବି ବାସନ୍ଦ ଭୟ, ବୋର୍ଡ ମୁଖ୍ୟାଳୟରୁ ହଟିଲା ପାକ୍ ଖେଳାଳିଙ୍କ ଫଟୋ
ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ଖେଳିବା ଉପରେ କେନ୍ଦ୍ର ସରକାର ତୁରନ୍ତ କୌଣସି ନିଷ୍ପତ୍ତି ନେବା ସପକ୍ଷରେ ନାହାନ୍ତି। ପାକିସ୍ତାନକୁ ଏକଘରିକିଆ କରିବା ଉଦ୍ୟମରେ ଭାରତ ଯେମିତି ଆଇସିସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ନହୁଏ, ସେହି ଚିନ୍ତା ଏବେ ଅଧିକାରୀଙ୍କୁ ଘାରିଛି। କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଆମ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ନେଇପାରେ। ବିଶ୍ବକପ୍ ପାଇଁ ବହୁତ ସମୟ ଅଛି। ଆମେ ତତକ୍ଷଣାତ୍ ଏବଂ ନ ବୁଝି ନ ଶୁଝି କୌଣସି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ଭାରତ ବିଶ୍ବକପର ଅନ୍ୟତମ ଦାବିଦାର ହୋଇଥିବାରୁ ଏହି ବିଷୟରେ ଯେ କୌଣସି ନିଷ୍ପତ୍ତି ଲାଗି ଆହୁରି ଆଲୋଚନା ପର୍ଯ୍ୟାଲୋଚନାର ଦରକାର ରହିଛି।
ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନଙ୍କ ସହିଦ ପରେ ସାରା ଭାରତରେ ପାକିସ୍ତାନ ବିରୋଧରେ କୁହୁଳୁଥିବା ଅସନ୍ତୋଷ ଥମୁନି। ଏଭଳି ବର୍ବରୋଚିତ କାଣ୍ଡର ପ୍ରତିବାଦରେ ଭାରତର ବିଭିନ୍ନ ଷ୍ଟାଡିୟମ୍ରେ ଶୋଭା ପାଉଥିବା ପାକିସ୍ତାନୀ ଖେଳାଳାଙ୍କ ଫଟୋ କାଢି ନିଆଯାଉଛି। ପ୍ରଥମେ ମୁମ୍ବାଇର ସିସିଆଇ (କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ)ରୁ ପୂର୍ବତନ ପାକ୍ ଅଧିନାୟକ ତଥା ଏବର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଫଟୋଚିତ୍ର ଢାଙ୍କି ଦିଆଯାଇଥିଲା ବେଳେ ପରେ ମୋହାଲିସ୍ଥିତି ପଞ୍ଜାବ କ୍ରିକେଟ୍ ସଂଘ (ପିସିଏ)ରୁ ପାକ୍ ଖେଳାଳିଙ୍କ ଫଟୋଚିତ୍ର କାଢି ନିଆଯାଇଥିଲା। ପୁଣି ମଙ୍ଗଳବାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ (ଏଚ୍ପିସିଏ) ଷ୍ଟାଡିୟମ୍ରୁ ମଧ୍ୟ ୧୩ ପାକିସ୍ତାନୀ କ୍ରିକେଟର୍ଙ୍କ ଫଟୋ ହଟାଇ ନିଆଯାଇଥିଲା ବେଳେ ଗୁରୁବାର ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟଂତ୍ରଣ ବୋର୍ଡ)ର ତା’ର ମୁଖ୍ୟାଳୟରୁ ପାକିସ୍ତାନୀ କ୍ରିକେଟର୍ଙ୍କ ଫଟୋଚିତ୍ର ସହିତ ସ୍ମାରକୀ ସବୁ କାଢି ନେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ରେ ଅନେକ ସ୍ମରଣୀୟ ମୁହୂର୍ତ୍ତର ଫଟୋଚିତ୍ର ବିସିସିଆଇ ମୁଖ୍ୟାଳୟରେ ସ୍ଥାନ ପାଇଥିଲା। ସେଥିମଧ୍ୟରେ ୧୯୯୨ ବିଶ୍ବ କପ୍ ମୁକାବିଲାର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ବେଳେ ଭାରତୀୟ ୱିକେଟ୍ରକ୍ଷକ କିରଣ ମୋରେଙ୍କ ଆବେଦନକୁ ବ୍ୟଙ୍ଗ କରି ମାଙ୍କଡ଼ ଡିଆଁ ନାଚିଥିବା ଜାଭେଦ୍ ମିଆଁଦାଦ୍ଙ୍କ ଫଟୋ ମଧ୍ୟ ହଟାଯାଇଥିବା ଫଟୋରେ ରହିଛି। ପୁଣି ୨୦୦୪ରେ ଭାରତର ପାକିସ୍ତାନ ଗସ୍ତ ବେଳେ ଭାରତୀୟ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ସହ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ପର୍ଭେଜ୍ ମୁସାରଫ୍ଙ୍କ ଫଟୋ, ପାକ୍ ଅଲ୍ରାଉଣ୍ଡର ତଥା ଏବର ରାଷ୍ଟ୍ରପତି ଇମ୍ରାନ୍ ଖାନ୍ଙ୍କ ଫଟୋ ମଧ୍ୟ କାଢି ନିଆଯାଇଥିବା ବିସିସିଆଇ ସୂତ୍ରରୁ କୁହାଯାଇଛି।
from ଖେଳ – Sambad https://ift.tt/2Eq20x7