ସାଧାରଣତନ୍ତ୍ର ଦିବସରେ ପ୍ରଥମ ଦିନିକିଆ ବିଜୟ

zisanmohammad
0

ମାଉଣ୍ଟ୍ ମୌଙ୍ଗନୁଇ: ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ପ୍ରଥମ ୱିକେଟ୍‌ରୁ ସଂଗ୍ରହିତ ୧୫୪ ରନ୍ ପାଳି ପରେ ସ୍ପିନର୍‌ଙ୍କ ପ୍ରଧାନ୍ୟ କାରଣରୁ ନ୍ୟୁଜିଲାଣ୍ଡ୍ ଗସ୍ତରେ ଭାରତ ୨-୦ରେ ଆଗୁଆ ହୋଇଛି। ଦେଶର ୭୦ତମ ସାଧାରଣତନ୍ତ୍ର ଦିବସରେ ଭାରତ ପ୍ରଥମ ଥର ପାଇଁ ଏକ ଦିନିକିଆ ମ୍ୟାଚ୍ ଜିତିବାର ଗୌରବ ମଧ୍ୟ ପାଇଛି। ସୋମବାର ତୃତୀୟ ଦିନିକିଆରେ ଭାରତ ୯୦ ରନ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌କୁ ହରାଇ ଦେଇଥିଲା। ଶତକରୁ ବଞ୍ଚିତ ହୋଇଥିଲେ ବି ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହା‌ତେଇ ନେଇଥିଲେ।
ଭାରତ ଟସ୍ ଜିତିଥିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା (୮୭, ୯୬ ବଲ୍‌, ୯ ଚୌକା, ୩ ଛକା) ଏବଂ ଶିଖର ଧାୱନ (୬୬, ୬୭ ବଲ୍, ୯ ଚୌକା) ପ୍ରଥମ ୱିକେଟ୍‌ ପାଇଁ ୨୫.୨ ଓଭରରେ ୧୫୪ ରନ୍ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ବିରାଟ କୋହଲି (୪୩, ୪୫ ବଲ, ୫ ଚୌକା) ଏବଂ ଅମ୍ବାତି ରାୟୁଡୁ (୪୭, ୪୯ ବଲ, ୩ ଚୌକାଂ, ୧ ଛକା) ଅର୍ଧଶତକରୁ ବଞ୍ଚିତ ହେବାରୁ ଭାରତ ସମ୍ଭାବ୍ୟ ୩୫୦ ଲକ୍ଷ୍ୟରୁ ଦୂରେଇ ଯାଇଥିଲା। ଶେଷକୁ ମହେନ୍ଦ୍ର ସିଂହ ଧୋନି (୪୮*, ୩୩ ବଲ୍‌, ୫‌ ଚୌକା, ୧ ଛକା) ଏବଂ କେଦାର ଯାଦବ (୨୨*, ୧୦ ବଲ୍‌, ୩ ଚୌକା, ୧ ଛକା) ଅତୁଟ ପଞ୍ଚମ ୱିକେଟ୍‌ରେ ୨୬ ବଲରୁ ୫୩ ରନ୍ ସଂଗ୍ରହ କରିବାରୁ ଭାରତ ୩୨୪ ରନ୍‌ର ଲଢ଼ୁଆ ସ୍କୋର୍ କରିଥିଲା।
ଜବାବରେ ନ୍ୟୁଜିଲାଣ୍ଡ୍ କିନ୍ତୁ ନିୟମିତ ୱିକେଟ୍ ହରାଇ ଆଗକୁ ବଢ଼ି ପାରିନଥିଲା। ଅଷ୍ଟମ ଓଭରରେ ମହମ୍ମଦ ସାମିଙ୍କୁ ଲଗାତାର ଛକା ମାରି କେନ୍ ୱିଲିୟମ୍‌ସନ୍ ପ୍ରାଧାନ୍ୟ ବିସ୍ତାର କରିବାକୁ‌ ଚେଷ୍ଟା କରିଥିଲେ। ସାମି କିନ୍ତୁ ପଞ୍ଚମ ବଲ୍‌ରେ ତାଙ୍କୁ ‌ବୋଲ୍ଡ କରି ପ୍ରତିଶୋଧ ନେଇଯାଇଥିଲେ। ଏହା ପରେ ଅଧିକାଂଶ କିୱି ବ୍ୟାଟ୍ସମ୍ୟାନ୍‌ ୨୦ ଟପିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ। ୧୬୬ ରନ୍‌ରେ ଘରୋଇ ଦଳ ଅଷ୍ଟମ ୱିକେଟ୍ ହରାଇଥିଲା। ଏହି ସମୟରେ ଦୀପ ଲିଭିବା ବେଳେ ଜୋର୍‌ରେ ଜଳିବା ଭଳି ଡଗ୍ ବ୍ରାସୱେଲ୍‌ (୫୭, ୪୬ ବଲ୍, ୫‌ ଚୌକା, ୩ ଛକା) ନିଜ ଖେଳ ଜୀବନର ପ୍ରଥମ ଅର୍ଧଶତକ ହାସଲ କରିଥିଲେ। ଭାରତୀୟ ସ୍ପିନରମାନେ ମିଳିତ ଭାବେ ୭ ୱିକେଟ୍ ନେଇ ନ୍ୟୁଜିଲାଣ୍ଡ୍ ପାଳିକୁ ୯.୪ ଓଭର ପୂର୍ବରୁ ୨୩୪ ରନ୍‌ରେ ଶେଷ କରି ଦେଇଥିଲେ। ପ୍ରଥମ ମ୍ୟାଚ୍ ଭଳି କୁଲଦୀପ ଯାଦବ ମଧ୍ୟ ୪ ୱିକେଟ ନେଇ ସ୍ପିନରଙ୍କ ମଧ୍ୟରେ ଆଗୁଆ ରହିଥିଲେ।



from ଖେଳ – Sambad http://bit.ly/2Ugyf6W

Post a Comment

0Comments
Post a Comment (0)